
ରାଉରକେଲା : ରାଉରକେଲାର ‘ପ୍ୟାଡ୍ ଓମାନ’ ଅନୁଶ୍ରୀ ଦାସ। ବୟସ ୩୪ ବର୍ଷ। ଅନୁଶ୍ରୀ ଏମ୍ବିଏ ପାସ୍ କରିଛନ୍ତି। ପ୍ରାୟ ଦଶ ବର୍ଷ ଧରି ବହୁଦେଶୀୟ କମ୍ପାନିରେ ଉଚ୍ଚ ପଦବିରେ ଥିଲେ। ମୋଟା ଅଙ୍କର ଦରମା ବି ମିଳୁଥିଲା। ଲକ୍ଡାଉନ୍ବେଳେ ରାଉରକେଲାକୁ ଆସିଥିବାବେଳେ ସେ କିଛି ଗରିବ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କ ଠାରୁ ଅସୁରକ୍ଷିତ ମାସିକ ଋତୁସ୍ରାବ ବିଷୟରେ ଅବଗତ ହେବାପରେ ଏ ଦିଗରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଗତ ୬ ମାସ ହେଲା ସେ ପ୍ରାୟ ୫ ହଜାର ମହିଳା ଓ ଯୁବତୀଙ୍କୁ ମାଗଣା ସାନିଟାରି ପ୍ୟାଡ୍, ଅନ୍ତଃ ବସ୍ତ୍ର, ସାନିଟାଇଜର୍ ଓ ସାବୁନ ମାଗଣାରେ ଦେଇସାରିଲେଣି।

ଅନୁଶ୍ରୀ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସୁନାଲରମ୍ଭା ଗାଁର ମୂଳବାସିନ୍ଦା। ବାପା ଦିଲୀପ କୁମାର ଦାଶ ଜଣେ ବ୍ୟାଙ୍କ ଅଧିକାରୀ ଓ ମା’ ଭାରତୀ ମିଶ୍ର ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାବେ ରାଉରକେଲାରେ ଅବସ୍ଥାପିତ ଥିବାବେଳେ ଏଠାରେ ତାଙ୍କର ସ୍କୁଲ ଶିକ୍ଷା ଆରମ୍ଭ ହୋଇଥିଲା। ଚିନ୍ମୟ ବିଦ୍ୟାଳୟରୁ ଯୁକ୍ତ ଦୁଇ, କନକ ମଞ୍ଜରୀ ଫାର୍ମାସିଟିକାଲ କଲେଜରୁ ଫାର୍ମାସି କରିବାପରେ ସେ କୋଲକାତାରେ ଏମ୍ବିଏ ଶିକ୍ଷା ଗ୍ରହଣ କରିଥିଲେ। ପରେ ଏକାଧିକ ପ୍ରତିଷ୍ଠିତ କମ୍ପାନିରେ ଚାକିରି କରିଥିଲେ। ଚାକିରି ଛାଡ଼ିବାବେଳେ ସେ ‘ୱେଷ୍ଟର୍ଣ୍ଣ ୟୁନିଅନ୍ ସାଉଥ୍ ଜୋନ୍’ର ବିଜିନେସ ଡେଭେଲପ୍ମେଣ୍ଟ୍ ମୁଖ୍ୟ ଭାବେ ଅବସ୍ଥାପିତ ଥିଲେ। ଚାକିରି ସମୟରେ ମଧ୍ୟ ସେ ଏକାଧିକ ସମାଜସେବା ସଂଗଠନ ସହ ଜଡ଼ିତ ରହି ବସ୍ତିବାସୀଙ୍କୁ ମାଗଣା ପାଠପଢ଼ା ଆଦି କାର୍ଯ୍ୟରେ ଜଡ଼ିତ ଥିଲେ।

ଲକ୍ଡାଉନ୍ ସମୟରେ ସେ ରାଉରକେଲାସ୍ଥିତ ନିଜ ବାସସ୍ଥାନକୁ ଆସିଥିବାବେଳେ କିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ତାଙ୍କର ଜେଜେମା’ଙ୍କ ଅସଲ କାରଣ ବିଷୟରେ ଅବଗତ ହୋଇଥିଲେ। ତାଙ୍କ ଜେଜେମା ମାତ୍ର ୪୦ ବର୍ଷ ବୟସରେ ସର୍ଭିକାଲ କ୍ୟାନସର୍ରେ ଆକ୍ରାନ୍ତ ହୋଇ ମୃତ୍ୟୁର ଶିକାର ହୋଇଥିଲା। ଏ ଦିଗରେ କିଛି କରିବାକୁ ପରିକଳ୍ପନା କରୁଥିବାବେଳେ ସେ କେତେକ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କର ମଧ୍ୟ ସମାନ ଅବସ୍ଥା ରହିଥିଲା।

ଏହା ପରଠାରୁ ସେ ଏହି କ୍ଷେତ୍ରରେ କାମ କରିବାକୁ ଦୃଢ଼ ମନସ୍ଥ ହେବା ସହ ଗତ ଫେବ୍ରୁଆରି ମାସରେ ସ୍ବେଚ୍ଛାସେବୀ ସଂଗଠନ ‘ଆଦିଭା-ସି ଭିଜନ’ ପ୍ରତିଷ୍ଠା କରିଥିଲେ। ଆଉ ସେଥିରେ ତାଙ୍କୁ ଅକୁଣ୍ଠ ସହଯୋଗ ଓ ସହାୟତା କଲେ ଚାକିରିରୁ ସେବାନିବୃତ୍ତ ହୋଇସାରିଥିବା ପିତାମାତା। ବିଭିନ୍ନ ବସ୍ତି ଓ ଅପହଞ୍ଚ ଇଲାକା ବୁଲିବୁଲି ଆରମ୍ଭ କଲେ ସଚେତନତା କାର୍ଯ୍ୟକ୍ରମ। ନିଜସ୍ବ ସମ୍ବଳରେ ପ୍ରାପ୍ତ ବୟସ୍କା ଯୁବତୀ ଓ ମହିଳାଙ୍କୁ ପ୍ୟାଡ୍ ବ୍ୟବହାରର ଉପକାରିତା ଓ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ବୁଝାଇବା ସହ ସେମାନଙ୍କୁ ମାଗଣାରେ ବ୍ୟବହାର ପାଇଁ କିଟ୍ ଯୋଗାଇବା ଆରମ୍ଭ କରିଥିଲେ। ଇତିମଧ୍ୟରେ ପ୍ରାୟ ୫ ହଜାର ଯୁବତୀ ଓ ମହିଳାଙ୍କୁ ମାଗଣା ସାନିଟାରୀ ନାପକିନ୍ ବାଣ୍ଟିସାରିଛନ୍ତି। ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଥିବା ରାଉରକେଲା କୋଏଲନଗରର ଅନୁଶ୍ରୀ (୩୪)ଙ୍କୁ ଦେଶବିଦେଶରୁ ପ୍ରଶଂସାର ସୁଅ ଛୁଟୁଛି।
ଏନେଇ ଅନୁଶ୍ରୀ କହିଛନ୍ତି, ନାରୀ ସମାଜ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ହିଁ ସ୍ବାସ୍ଥ୍ୟହାନି ହେଉଛି। ଏହାକୁ ପରିବର୍ତ୍ତନ କରିବାକୁ ଏ ଦିଗରେ ପାଦ ଥାପିଛି। ଆଗାମୀ ଦିନରେ ଏହି ସେବାକୁ ଆହୁରି ବ୍ୟାପକ ଓ ତ୍ବରାନ୍ବିତ କରିବି ବୋଲି କହିଛନ୍ତି ଅନୁଶ୍ରୀ।
The post ରାଉରକେଲାର ‘ପ୍ୟାଡ୍ ଓମାନ୍’ ଅନୁଶ୍ରୀ first appeared on Sambad.from ଜିଲ୍ଲା | Sambad https://ift.tt/3zCEDuc
0 Comments