କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ଶୁଆକାଟି ସେକ୍ସନର କୁଶକଳା ବିଟ୍‌ ଅନ୍ତର୍ଗତ କଲଣ୍ଡା ଡିପିଏଫ୍‌ ଜଙ୍ଗଲରୁ ଗଛ କାଟିବାବେଳେ ବନ ବିଭାଗ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ ପରିମାଣର କାଠ ଜବତ ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, କଲଣ୍ଡା ଡିପିଏଫ୍ ଜଙ୍ଗଲ ଭିତରେ କିଛି ଲୋକ କାଠ କାଟୁଥିଲେ। ଏକ ବିଶେଷ ସୂତ୍ରରୁ ଖବର ପାଇ ଆଜି ବନ ବିଭାଗ ଟିମ୍ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ତବାରକ ଆନସାରୀ (୩୨), ମହମ୍ମଦ ସିକନ୍ଦର (୩୭), ତୋହିଦ ଆନସାରୀ (୨୮) ଓ ସଲିମ ଆନସାରୀ (୪୦)। ଏମାନେ ସମସ୍ତେ ଝାଡ଼ଖଣ୍ଡ ରାଜ୍ୟର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ଗୋଟିଏ କରତ, ଦୁଇଟି ଟାଙ୍ଗିଆ, ଗୋଟିଏ ବର୍ଚ୍ଛା ଜବତ କରାଯାଇଛି। ଏନେଇ ବିଜେପି ରେଞ୍ଜରେ ଓଆର୍ କେସ୍‌ ନମ୍ବର ୫ ବିଜେ ଅଫ୍ ୨୦୨୧-୨୨ରେ ଏକ ମାମଲା ରୁଜୁ ହୋଇଛି। ଜବତ ଶାଳ ଏବଂ ତେନ୍ତଳା କାଠର ବଜାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏଠାରେ କାଠ ମାଫିଆମାନେ ଦୀର୍ଘଦିନ ହେଲା କ୍ୟାମ୍ପ ଲଗାଇ ରହୁଛନ୍ତି। ଜଙ୍ଗଲରୁ କାଠ କାଟି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ସନ୍ଦେହ କରାଯାଉଛି। ଚଢ଼ଉ ବେଳେ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଚଢ଼ଉରେ ବିଜେପି ରେଞ୍ଜର ମାନସ କୁମାର ମୁର୍ମୁ, ଶୁଆକାଟି ଫରେଷ୍ଟର ଶରତ କୁମାର ପଟ୍ଟନାୟକ, କାଞ୍ଜିପାଣି ଫରେଷ୍ଟର ଶିବନାରାୟଣ ଦେବ, ଫରେଷ୍ଟ ଗାର୍ଡ ଏବଂ ବନସୁରକ୍ଷା କମିଟିର ସଦସ୍ୟମାନେ ସାମିଲ ହୋଇଥିଲେ।

The post କଲଣ୍ଡା ଜଙ୍ଗଲରୁ ଗଛ କଟା, ୪ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3yEZ60f