ଯାଜପୁରସଦର : ଯାଜପୁର ସହରର ସୌନ୍ଦର୍ଯ୍ୟ ବଢ଼ାଉଥିବା କୁସୁମାର ବାହ୍ୟ ପରିବେଶ ରକ୍ଷଣାବେକ୍ଷର ଅଭାବରୁ ଭାଙ୍ଗିରୁଜି ଗଲାଣି। ଦୈନିକ ଶହଶହ ଲୋକ କୁସୁମା ପରିଭ୍ରମଣରେ ଆସୁଛନ୍ତି। ରାସ୍ତା କଡ଼ରୁ ଭିତର ଦୃଶ୍ୟ ଦେଖିବା ଲାଗି ତାର ଜାଲି ବ୍ୟବସ୍ଥା ହୋଇଛି। ମଝିରେ ମଝିରେ ଛତ୍ରୀ ଓ ବସିବା ବ୍ୟବସ୍ଥା କରାଯାଇଛି। ମାତ୍ର ଏସବୁ ପ୍ରତି ଯେତିକି ଦୃଷ୍ଟି ଦିଆଯିବା କଥା ତାହା କରାଯାଉ ନାହିଁ।

କୁସୁମା ଭିତର ଉଦ୍ୟାନର ରକ୍ଷଣାବେକ୍ଷଣ କରାଯାଉଥିବା ବେଳେ ଏହାର ବାହାରେ ସନ୍ଧ୍ୟା ହେଲେ ଅସାମାଜିକ ଲୋକଙ୍କ ଆଡ଼ା ପା‌ଲଟୁଛି। କୁସୁମାର ଗଭୀର ଜଳରାଶିରୁ ସୁରକ୍ଷିତ ରହିବା ପାଇଁ ଏହାର ଚତୁଃପାର୍ଶ୍ବରେ ତାର ଜାଲି ବୁଲାଯାଇଛି। ରାସ୍ତା ପାର୍ଶ୍ବର କେତେକ ସ୍ଥାନରେ କେହି ଦୁବୃର୍ତ୍ତ ସେହି ଜାଲିଗୁଡ଼ିକୁ ଭାଙ୍ଗି ପକାଇଲେଣି। ସେହି ବାଟେ ମଦ୍ୟପମାନେ ମଦ ବୋତଲକୁ କୁସୁମା ଜଳରାଶିକୁ ଫିଙ୍ଗୁଥିବା ପରି ଘଟଣା ସାମନାକୁ ଆସିଛି। ଏହି ଭଙ୍ଗା ତାର ଜାଲି ଯୋଗୁଁ କିଛି ଅଘଟଣକୁ ଏଡାଇ ଦିଆଯାଇ ନପାରେ।

ସେହିପରି କୁସୁମାର ଭ୍ୟୁ ପଏଣ୍ଟଗୁଡ଼ିକରେ ଆଲୋକ ଓ ସିସି କ୍ୟାମେରା ଲାଗିଥିଲେ ମଧ୍ୟ ତାହା ଠିକ ଭାବେ କାର୍ଯ୍ୟ କରୁ ନାହିଁ। ଏହାର ସୁଯୋଗରେ ଅସାମାଜିକ ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ଆଡ଼ା ଜମାଉଛନ୍ତି। ଚାରିଆଡ଼େ ପାନଛେପ ସହ ଅପରିଷ୍କାର ପରିବେଶ ପର୍ଯ୍ୟଟକଙ୍କୁ ନିରାଶ କରୁଛି। ପୌର ପ୍ରଶାସନ କୁସୁମାର ଭିତର ପାଖ ଉପଯୁକ୍ତ ଯତ୍ନ ନେଉଥିବା ବେଳେ ଏହାର ବାହାର ପରିବେଶ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

The post ଭାଙ୍ଗି ଗଲାଣି କୁସୁମା ତାର ଜାଲି first appeared on Sambad.

from ଜିଲ୍ଲା | Sambad https://ift.tt/2XaaJQ6