
ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧିନସ୍ଥ ଝରାଡିହି ଫାଣ୍ଡି ନିକଟରେ ବସୁଥିବା ସାପ୍ତାହିକ ହାଟରୁ ସୁନାଗହଣା ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଥିବା ବ୍ୟାଗ ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଝରାଡିହିଠାରେ ବସୁଥିବା ସାପ୍ତାହିକ ହାଟରେ ସୁନାଗହଣା ବେପାର କରୁଥିବା ରାଇରଙ୍ଗପୁର ନିକଟସ୍ଥ ତାମଳବନ୍ଧ ଗ୍ରାମର ନିଳାମ୍ବର ନନ୍ଦ ନାମକ ଜନୈକ ବେପାରୀ ଦୋକାନ ବସାଇବାକୁ ପ୍ରସ୍ତୁତ ହେଉଥିବାବେଳେ କଳା ପଲସର ବାଇକରେ ଥିବା ଦୁଇଜଣ ଦୁର୍ବୃତ୍ତ’ଙ୍କ ମଧ୍ୟରୁ ଜଣେ ସୁନାଗହଣା ବ୍ୟାଗଟିକୁ ଲୁଟ କରିନେଇ ବାଇକରେ ଖସି ପଳାଇଥିଲେ। ଆଖପାଖ ଦୋକାନୀମାନେ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଲୁଟ୍ ଘଟଣାରେ ୨୫ ରୁ ୩୦ ବର୍ଷ ବୟସ୍କ ଦୁଇଜଣ ଦୁର୍ବୃତ୍ତ ରହିଥିଲେ। ଲୁଟ୍ ପରେ ଲୁଟର ଶିକାର ଦୋକାନୀ ମଧ୍ୟ ଲୁଟେରାଙ୍କ ପିଛା କରିଥିବା ବେଳେ ଝାଡଖଣ୍ଡ ଅଞ୍ଚଳର କୁଆଳି ଥାନାକୁ ଖବର ଦେବା ସହିତ ଝରାଡିହି ଫାଣ୍ଡି ଅଧିକାରୀ ମଧ୍ୟ ତଲାସରେ ବାହାରିଥିଲେ।
ତେବେ ସୂଚନା ଅନୁସାରେ ଝାଡ଼ଖଣ୍ଡର କୁଆଳି ଥାନା ପୁଲିସ୍ ମଧ୍ୟ ଦୁର୍ବତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ତିରିଂ ଥାନା ପୁଲିସ୍ ଓ କୁଆଳି ଥାନା ପୁଲିସ ଝାଡଖଣ୍ଡ ର ହଳଦୀପୋଖରୀ ଓ ରସୁଣଚୋପା ଅଞ୍ଚଳରେ ଖୋଳତାଡ କରି ଫେରି ଆସିଥିଲେ। ତେବେ ପାଖାପାଖି ତିନି ଲକ୍ଷ ଟଙ୍କା ମୂଲ୍ୟର ସୁନା ରୁପା ଚୋରି ହୋଇଥିବା ନେଇ ତିରିଂ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ସେପଟେ ଅଞ୍ଚଳରେ ବାରମ୍ବାର ଲୁଟ ଘଟଣା ବୃଦ୍ଧି ପାଉଥିବା ବେଳେ ଦିନ ବେଳା ମଧ୍ୟ ପୁଲିସ ପେଟ୍ରୋଲିଂକୁ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି।
The post ସାପ୍ତାହିକ ହାଟରୁ ସୁନା ଗହଣା ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ first appeared on Sambad.from ଜିଲ୍ଲା | Sambad https://ift.tt/3ldWxO3
0 Comments