ନାରାୟଣପାଟଣା/ବନ୍ଧୁଗାଁ: ଗାଁକୁ ଯାତାୟାତ ସୁବିଧା କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ ନିର୍ମାଣ ହେବାର ୬ ମାସ ମଧ୍ୟ ଗଲାନି। ରାସ୍ତାରୁ ପିଚୁ ଉଠି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ରାସ୍ତା ଅବସ୍ଥା ଏଭଳି ହୋଇଛି ଯେ ଚାଲି ଚାଲି ଯିବା ବି କଷ୍ଟକର ହୋଇପଡ଼ିଛି। ଏଭଳି ରାସ୍ତା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ଆଲମଣ୍ଡା ଛକରୁ କାପଲଡ଼ା ଦେଇ କୋସୁ ପର୍ଯ୍ୟନ୍ତ। ସୂଚନା ଅନୁସାରେ, ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ଆଲମଣ୍ଡା ଛକ ଠାରୁ କାପଲଡ଼ା ଦେଇ କୋସୁ ଗାଁ ପର୍ଯ୍ୟନ୍ତ ଏବଂ କାପଲଡ଼ା ଠାରୁ ପୁଲଗୁମି ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା। ଏହାର କାର୍ଯ୍ୟ ଆରମ୍ଭ ତାରିଖ ୦୮/୧୧/୨୦୧୮ ଏବଂ କାର୍ଯ୍ୟ ଶେଷ ତାରିଖ ୦୬/୦୪/୨୦୧୯ ବୋଲି ରାସ୍ତା ନିର୍ମାଣସ୍ଥଳରେ ରହିଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି।

ଏନବିସିସି କମ୍ପାନି ଅଧିନରେ ଠିକାଦାର ଆଇପିସି ପ୍ରାଇଭେଟ୍ ଲିମିଟେଡକୁ ଏହାର ନିର୍ମାଣ କାର୍ଯ୍ୟ ଦିଆଯାଇଥିଲା। ପ୍ରାୟ ୧୭ କିମି ଲମ୍ବା ଏହି ରାସ୍ତା ନିର୍ମାଣ ପାଇଁ ୬ କୋଟି ୫୦ ଲକ୍ଷ ୩୭ ହଜାର ୮୮୯ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ପ୍ରକଳ୍ପରେ ଗାଁ ଭିତରେ ରାସ୍ତା ନିର୍ମାଣ କଲା ବେଳେ ସିମେଣ୍ଟ କଂକ୍ରିଟ କରିବାକୁ ଯୋଜନା ରହିଥିଲା। ତେବେ ଠିକାଦାରଙ୍କ ଦାୟିତ୍ବହୀନତା ଯୋଗୁଁ ବହୁ ବିଳମ୍ବରେ ଗତ ବର୍ଷ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏହାଦ୍ବାରା କାପଲଡ଼ା ପଞ୍ଚାୟତ ସଦର ମହକୁମା ସହ କୋସୁ, ସିଲାବାଡ଼ି, ଏମ୍ପାଵାଲସା, ନାଗୁଲୁଵାଲସା, ଜୟକୋଟା ଆଦି ଗାଁକୁ ରାସ୍ତା ସଂଯୋଗ ହୋଇପାରିଥିଲା। ଲୋକେ ବି ଯାତାୟାତ ସୁବିଧା ପାଇପାରିଥିଲେ। ହେଲେ ଏହି ରାସ୍ତା ଆଉ ବେଶି ଦିନ ରହିଲା ନାହିଁ। ରାସ୍ତା ନିର୍ମାଣ ହେବାର ୬ ମାସ ନପୁରୁଣୁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାସ୍ତା ନିର୍ମାଣ ସମୟରେ ରାସ୍ତା ଖୋଳି ମେଟାଲ ପକାଇ ପିଚୁ ପକାଇବାକୁ ଥିଲା ବେଳେ ଏଠାରେ ମାଟି ଉପରେ ପିଚୁ ଢାଳି ରାସ୍ତା ନିର୍ମାଣ କରାଯାଇଥିଲା।

ଯଦ୍ବାରା ରାସ୍ତାରୁ ପିଚୁ ଉଠିବା ସହ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ରାସ୍ତା ଅବସ୍ଥା ଏପରି ହୋଇଛି ଯେ ସାମାନ୍ୟ ବର୍ଷା ହେଲେ କାଦୁଅ ପଚପଚ ହୋଇପଡ଼ୁଛି। ଫଳରେ ଲୋକେ ଚାଲି ଚାଲି ଯିବାରେ ବି କଷ୍ଟକର ହୋଇପଡ଼ିଛି। ଏହି ରାସ୍ତାର ତଦାରଖ ସହ ମରାମତି କରିବା ପାଇଁ ସଂପୃକ୍ତ ଠିକାଦାର ଜଣକ ୫ ବର୍ଷ ପର୍ଯ୍ୟନ୍ତ ଦାୟିତ୍ବରେ ରହିଥିଲେ ମଧ୍ୟ ମରାମତି କରାଯାଉନାହିଁ। ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ନେଇ ଉକ୍ତ ଅଞ୍ଚଳବାସୀ ବହୁବାର ସ୍ଥାନୀୟ ବ୍ଲକ୍ ପ୍ରଶାସନ ଠାରୁ ଆରମ୍ଭ କରି ଠିକାଦାର, ଏନବିସିସି କମ୍ପାନି କର୍ତ୍ତୃପକ୍ଷ ଏବଂ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ବି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଠିକାଦାରଙ୍କୁ ତାଗିଦ କରି ପୁନଃ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନବିସିସି କତ୍ତୃପକ୍ଷ କହିଛନ୍ତି ଯେ କେଉଁ ପରିସ୍ଥିତିରେ ଉକ୍ତ ରାସ୍ତାର ଏପରି ହେଲା ତାହାର ଯାଞ୍ଜ କରାଯିବ। ଯେଉଁ ଠିକାଦାର ଏହି କାର୍ଯ୍ୟ କରିଛି ତାହାକୁ ପୁଣି ଥରେ କରାଯିବାକୁ କୁହାଯିବ ବୋଲି କତ୍ତୃପକ୍ଷ କହିଛନ୍ତି।

The post ଶୋଚନୀୟ ଅବସ୍ଥାରେ ପିଏମଜିଏସୱାଇ ରାସ୍ତା, ନିର୍ମାଣ ହେବାର ୬ ମାସ ନପୁରୁଣୁ ରାସ୍ତାରୁ ଉଠିଲା ପିଚୁ first appeared on Sambad.

from ଜିଲ୍ଲା | Sambad https://ift.tt/3nIYQLM