
ବାରିପଦା: ମୟୂରଭଞ୍ଜରେ ଲଗାଣ ବର୍ଷାରୁ ଆଶ୍ୱସ୍ଥି ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ବର୍ଷା ପରିମାଣ ହ୍ରାସ ଘଟିଛି। ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ହ୍ରାସ ଘଟିଛି। କେବଳ ଜାତୀୟ ରାଜପଥ ଗୋବିନ୍ଦପୁର ନିକଟରେ ବୁଢ଼ାବଳଙ୍ଗ ଏବଂ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ସତର୍କ ସୂଚନା ଉପରେ ପ୍ରବାହିତ ହେଉଛି। ଜିଲ୍ଲାରେ ଗତ କିଛିଦିନ ଧରି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଶିମିଳିପାଳର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ଆକଳନ ଚାଲିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଏନେଇ ସୂଚନା ଜଣାପଡିବ ବୋଲି ଜିଲ୍ଲାପାଳ ବିନିଥ୍ ଭରଦ୍ବାଜ ସୂଚନା ଦେଇଛନ୍ତି।
ତେବେ ଜିଲ୍ଲାରେ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। କେବଳ ଯାହା ବର୍ଷା ଏବଂ ଜଳବନ୍ଦୀ ପରବର୍ତ୍ତୀ ସ୍ଥିତିକୁ ନେଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ବର୍ଷା ପରେ କିନ୍ତୁ ଆଉ ଦୁଇଦିନ ପରେ ଜିଲ୍ଲାକୁ ଆଉ ଏକ ବଡ଼ ବର୍ଷା ଆସୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଯାହାକୁ ନେଇ ଚିନ୍ତା ବଢିଛି। ତେବେ ସମସ୍ତ ସମ୍ଭାବ୍ୟ ସ୍ଥିତିକୁ ମୁକାବିଲା କରିବାକୁ ପ୍ରଶାସନ ପ୍ରସ୍ତୁତ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସମସ୍ତ ଅଧିକାରୀଙ୍କୁ ଏନେଇ ସଜାଗ ରଖାଯାଇଛି। ଏହି ବର୍ଷାରେ ଜିଲ୍ଲାରୁ ପ୍ରାୟ ୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲାରେ କିନ୍ତୁ ବନ୍ୟା ପରିସ୍ଥିତି ପ୍ରାୟତଃ ଟଳି ଯାଇଥିବା ପ୍ରକାଶ। ଆଜି ସକାଳୁ ଜିଲ୍ଲାରେ ପାଗ ଶୁଖିଲା ଥିଲା। ମଧ୍ୟାହ୍ନ ପରେ ହାଲକା ବର୍ଷା ହୋଇଥିଲା। ଜିଲ୍ଲାର ପ୍ରମୁଖ ନଦୀ ଗୁଡିକରେ ଜଳସ୍ତର ସନ୍ଧ୍ୟା ୫ଟା ସୁଦ୍ଧା ବିପଦ ସଙ୍କେତ ତଳେ ସ୍ଥିର ରହିଛି।
ଖୁଣ୍ଟା ବ୍ଳକରେ ଜଣେ ପାଣିରେ ଭାସିଯାଇଥିବା ଜଣାପଡିଛି। ସେହିପରି ଜିଲ୍ଲାର ସମସ୍ତ ଜଳଭଣ୍ଡାର ଗୁଡ଼ିକରେ ସ୍ଥିତିରେ ସୁଧାର ଆସିଛି। ସନ୍ଧ୍ୟା ୫ଟା ସୁଦ୍ଧା ଜାତୀୟ ରାଜପଥ-୫ ଗୋବିନ୍ଦପୁର ନିକଟରେ ବୁଢ଼ାବଳଙ୍ଗ ସତର୍କ ସୂଚନା ୭.୨୧ ମିଟରରୁ ଊର୍ଦ୍ଧ୍ବ ୮.୦୮ ମିଟରରେ ପ୍ରବାହିତ ହେଉଥିଲା। ଅସ୍ତିଆ ନିକଟରେ ବିପଦ ସଙ୍କେତ ୩୦.୯୨ ତୁଳନାରେ ୨୪.୬୦, ରାଜଘାଟ ନିକଟରେ ସୁବର୍ଣ୍ଣରେଖା ସତର୍କ ସୂଚନା୯.୪୬ ମିଟର ତୁଳନାରେ ୯.୭୧ରେ ପ୍ରବାହିତ ହେଉଛି। ସୋନ ଏବଂ ଗଙ୍ଗାହାର ନଦୀ ମଧ୍ୟ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୨୭.୨୨ ମିମି ବର୍ଷା ରେକର୍ଡ କରାଯାଇଛି। ସମସ୍ତ ୨୬ଟି ବ୍ଲକ୍କୁ ମିଶାଇ ଜିଲ୍ଲାରେ ମୋଟ ୭୦୭.୮ ମିମି ବର୍ଷା ରେକର୍ଡ କରାଯାଇଛି।
ଜଳଭଣ୍ଡାର ଗୁଡ଼ିକରେ ବର୍ଷା ଜଳ ଅଧିକ ହେଉଥିବାରୁ ପାଣି ଛଡ଼ାଯାଉଛି। ଯାହା ଫଳରେ ତଳିଆ ଅଞ୍ଚଳର ଲୋକେ ପ୍ରଭାବିତ ହେଉଛନ୍ତି। ଜିଲ୍ଲାରେ ଏବେବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲାରେ ଗତ ୨୪ ଘଣ୍ଟା ଶ୍ୟାମାଖୁଣ୍ଟାରେ ୪୮ ମିମି, ବଡ଼ସାହିରେ ୪୩, ରାସଗୋବିନ୍ଦପୁରରେ ୩୬, ବାରିପଦାରେ ୨୭, ସାରସକଣାରେ ୬୩, ବାଙ୍ଗିରିପୋଷିରେ ୨୩.୪, ଖୁଣ୍ଟା ଓ ଜିବି ନଗରରେ ୪୮, ଉଦଳାରେ ୪୭.୨, କପ୍ତିପଦାରେ ୭୦, ବିଜାତଳାରେ ୨୪, ତିରିଂରେ ୧୩.୨, ଯାମଦାରେ ୨୬, ଯଶୀପୁରରେ ୩୫.୪, କରଞ୍ଜିଆରେ ୩୨, ରରୁଁଆରେ ୨୭ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟାନ୍ୟ ବ୍ଳକରେ ସେପରି ଖାସ ବର୍ଷା ହୋଇନଥିବା ରେକର୍ଡ କରାଯାଇଛି। ସେହିପରି କାଳ, ସୁନେଇ, ଖଡାଖାଇ, ନେଶା ଓ ଦେଓ ଜଳଭଣ୍ଡାରରେ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ସରକାରୀ ସୂତ୍ରରୁ ପ୍ରକାଶ।
The post ଗୋଟିଏ ବର୍ଷା ଗଲା, ସମ୍ଭାବ୍ୟ ବଡ଼ ବର୍ଷାକୁ ନେଇ ଆଶଙ୍କା, ସୁବର୍ଣ୍ଣରେଖା ସତର୍କ ସୂଚନା ଉପରେ ପ୍ରବାହିତ first appeared on Sambad.from ଜିଲ୍ଲା | Sambad https://ift.tt/39ewj8A
0 Comments