
ସମ୍ବଲପୁର : ରୋଗୀଙ୍କୁ ଡାକ୍ତରଖାନା ନେବା ବାଟରେ ଖରାପ ହୋଇଗଲା ସରକାରୀ ୧୦୮ ଆମ୍ବୁଲାନସ୍। ଠିକଣା ସମୟରେ ଡାକ୍ତରଖାନାରେ ପହଂଚି ନପାରିବାରୁ ରାଜପଥରେ ରୋଗୀଙ୍କ ଜୀବନ ଚାଲିଗଲା। ସୋମବାର ସମ୍ବଲପୁରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ସହର ଉପକଣ୍ଠ ଠେମରା ଗାଁର ମୂଳନିବାସୀ ହିମାଂଶୁ ନନ୍ଦ ଏବେ ସୁନ୍ଦରଗଡ଼ରେ ରହୁଛନ୍ତି। ତାଙ୍କ ପତ୍ନୀ ଗୌରୀମଣି ନନ୍ଦ ଗତ ୩ ମାସ ହେଲା ଅସୁସ୍ଥ ଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ମାତ୍ର, ଡାକ୍ତର ତାଙ୍କୁ ବୁର୍ଲା ଭିମ୍ସାରକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ସୋମବାର ସେ ୧୦୮ ଆମ୍ବୁଲାନସ୍ ଯୋଗେ ସୁନ୍ଦରଗଡ଼ରୁ ଭିମ୍ସାରକୁ ଚିକିତ୍ସା ପାଇଁ ଆଣୁଥିଲେ। ମାତ୍ର, ଅପରାହ୍ଣ ୨ଟା ୧୦ ସମୟରେ ରେମେଡ଼ ପାଖ ଲେବଲ୍ କ୍ରସିଂ ନିକଟରେ ଆମ୍ବୁଲାନସ୍ ଅଚାନକ ଖରାପ(ବ୍ରେକ୍ ଡାଉନ୍) ହୋଇଗଲା। ଆମ୍ବୁଲାନସ୍ ଚାଳକ ଆଉ ଏକ ଆମ୍ବୁଲାନସ୍ ପାଇଁ ଯୋଗାଯୋଗ କରିଥିଲେ। ମାତ୍ର, ଉକ୍ତ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ବହୁ ବିଳମ୍ବରେ ଆମ୍ବୁଲାନସ୍ ଆସିଥିଲା। ସେତେବେଳକୁ ଗୌରୀମଣିଙ୍କ ଜୀବନ ଚାଲି ଯାଇଥିଲା। ଠିକ୍ ସମୟରେ ଡାକ୍ତରଖାନା ପହଂଚି ଥିଲେ ଗୌରୀମଣିଙ୍କ ଜୀବନ ବଂଚିଯାଇଥାନ୍ତା ବୋଲି ହିମାଂଶୁ କହିଛନ୍ତି।
ଆମ୍ବୁଲାନସ୍ଗୁଡ଼ିକରେ ସବୁବେଳେ ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କୁ ଡାକ୍ତରଖାନା ନିଆଯାଇଥାଏ। ସରକାର ରୋଗୀମାନଙ୍କ ସୁବିଧା ପାଇଁ ୧୦୮ ଆମ୍ବୁଲାନସ୍ ସେବା ଯୋଗାଇ ଦେଉଛନ୍ତି। ମାତ୍ର ଆମ୍ବୁଲାନସ୍ଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଠିକ୍ ସମୟରେ ମରାମତି ମଧ୍ୟ କରାଯାଉ ନାହିଁ। ଅତ୍ୟନ୍ତ, ଖାମଖିଆଲି ମନୋଭାବ ପୋଷଣ କରାଯାଉଛି। ବିଭାଗୀୟ ଅବହେଳା ଯୋଗୁ ଆଜି ଅସମୟରେ ଜଣେ ରୋଗୀଙ୍କ ଜୀବନ ଚାଲିଗଲା। ଏଥି ପାଇଁ କିଏ ଦାୟୀ ରହିବ ? ଆଜିର ଘଟଣା ପାଇଁ ଦାୟୀ ଅଧିକାରୀ/କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳ କାର୍ଯ୍ୟାନୁଷ୍ଠାନ ନିଆଗଲେ ଏଭଳି ଘଟଣାର ଆଉ ପୁନରାବୃତ୍ତି ଘଟିବ ନାହିଁ ବୋଲି କହାଯାଉଛି।
The post ଅଧାବାଟରେ ଆମ୍ବୁଲାନ୍ସ ଖରାପ, ଚାଲିଗଲା ରୋଗୀଙ୍କ ଜୀବନ first appeared on Sambad.from ଜିଲ୍ଲା | Sambad https://ift.tt/3tUfR6V
0 Comments