କୋରେଇ : ଜଣେ ମହିଳାଙ୍କୁ ଅନ୍ୟଜଣେ ମହିଳା ନିଜ ସ୍ବାମୀର ପ୍ରେମିକା ସନ୍ଦେହରେ ଇଟାରେ ଛେଚି ହତ୍ୟା କରିଛି। କୋରେଇ ଥାନା ବେଣାପୁର ଗାଁର ଆଦିବାସୀ ସାହିରେ ଘଟିଛି ଏହି ଘଟଣା। ଏ ଘଟଣାରେ ପୁଲିସ ଆଦିବାସୀ ସାହିର କିଶାନ ହେମ୍ବ୍ରମ(୪୮) ଓ ତା’ ସ୍ତ୍ରୀ ନାଗି ଓରଫ ବାସନ୍ତୀଙ୍କୁ ଥାନାରେ ଅଟକ ରଖିଛି। ମୃତ ମହିଳା ସନ୍ତରା ଆଦିବାସୀ ସାହିର ମଞ୍ଜୁ ମାରାଣ୍ତି(୪୫) ବୋଲି ଜଣାପଡ଼ିଛି।

ବେଣାପୁର ଆଦିବାସୀ ସାହିର କିଶାନ ହେମ୍ବ୍ରମ ଜଣେ ରାଜମିସ୍ତ୍ରି। ସେ ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ଘର ନିର୍ମାଣ କାମ କରନ୍ତି। ତାଙ୍କ ସହିତ ବ୍ୟାସନଗର ସନ୍ତରା ଆଦିବାସୀ ସାହିର ମଞ୍ଜୁ ମାରାଣ୍ତି (୪୫) (ବିବାହିତ ମହିଳା) ମଧ୍ୟ କାମ କରିଥାନ୍ତି। ଏକାଠି କାମ କରିବା ଭିତରେ ଦୁହେଁ ପରସ୍ପର ନିକଟତ ହୋଇଥିଲେ। ଏପରି ସଂପର୍କକୁ କିଶାନଙ୍କ ସ୍ତ୍ରୀ ନାଗି ବିରୋଧ କରିଆସୁଥିଲା। ଏହାସତ୍ତ୍ବେ ଦୁହିଁଙ୍କ ମିଳାମିଶା ବନ୍ଦ ହୋଇ ନଥିଲା। ଶୁକ୍ରବାର ଅପରାହ୍‌ଣରେ କିଶାନ ବାଇକ୍‌ରେ ମଞ୍ଜୁଙ୍କୁ ଧରି ତାଙ୍କ ଗାଁ ବେଣାପୁରସ୍ଥିତ ସଂପର୍କୀୟ ଘର ନିକଟକୁ ଯାଇଥିଲେ। ଏହା ଜାଣିପାରି ନାଗି ମଧ୍ୟ ସେଠାରେ ପହଞ୍ଚିଥିଲା। କ୍ରୋଧରେ ଉନ୍ମତ୍ତ ହୋଇ ସେ ମଞ୍ଜୁଙ୍କ ମୁଣ୍ଡରେ ଇଟା ଛେଚି ଦେଇଥିଲା। ଫଳରେ ଘଟଣାସ୍ଥଳରେ ମଞ୍ଜୁଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ କୋରେଇ ପୁଲିସ ପହଞ୍ଚି ଶବ ଜବତ କରିବା ସହ କିଶାନ ଓ ନାଗିଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ଏ ସଂକ୍ରାନ୍ତରେ ୨୫୩/୨୧ ନମ୍ବରରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଥିବା କୋରେଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ସୂଚନା ଦେଇଛନ୍ତି।

The post ମହିଳାଙ୍କୁ ଇଟାରେ ଛେଚି ହତ୍ୟା: ସ୍ୱାମୀର ପ୍ରେମିକା ସନ୍ଦେହରେ ମାରିଦେଲା ସ୍ତ୍ରୀ; ସ୍ୱାମୀସ୍ତ୍ରୀ ଅଟକ first appeared on Sambad.

from ଜିଲ୍ଲା | Sambad https://ift.tt/3k2mKQo