ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମରେ ରହୁଥିବା ଷଡ଼ଙ୍ଗୀ କଲେଜ ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ସାହୁଙ୍କ ଘରେ ଗତକାଲି ରାତିରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଘରର ଆଲମିରା ଭାଙ୍ଗି ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ କିଛି ଟଙ୍କା ଚୋରି କରିଛନ୍ତି। ଏନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରେ ଘରର ଗୋଟିଏ କୋଠିରେ ଶ୍ରୀ ସାହୁ ଏବଂ ତାଙ୍କ ପତ୍ନୀ ଶୋଇଥିଲେ। ଅନ୍ୟ ଏକ କୋଠରିର ଝରକା ତାଡ଼ି ଦୁର୍ବୃତ୍ତମାନେ ଘରେ ପଶିଥିଲେ। ଆଲମିରା ଭାଙ୍ଗି ଦୁଇଟି ସୁନାହାର, ତିନିହଳ କାନଫୁଲ, ୩ଟି ମୁଦି, ଗୋଟିଏ ମଙ୍ଗଳସୂତ୍ର ଏବଂ ୫ ହଜାର ଟଙ୍କା ଚୋରି କରିଛନ୍ତି। ଚୋରି ସୁନା ଅଳଙ୍କାରର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଜଣାପଡ଼ିଛି। ଆଜି ସକାଳେ ଘରୁ ଚୋରି ହୋଇଥିବା ଜାଣି ଶ୍ରୀ ସାହୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ତୁରୁମୁଙ୍ଗା ଥାନାରେ କେସ୍‌ ନମ୍ବର ୯୯/୨୧ରେ ଏକ ମାମଲା ରୁଜୁ ‌ହୋଇଛି। ସ୍ଥାନୀୟ ଅଞ୍ଚଳରେ ଚୋରି ବଢ଼ୁଛି। ବାରମ୍ବାର ଦୁର୍ବୃତ୍ତମାନେ ବିଭିନ୍ନ ଦୋକାନ ଓ ଘରୁ ଚୋରି କରୁଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

The post କଲେଜ ଅଧ୍ୟକ୍ଷଙ୍କ ଘରୁ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି first appeared on Sambad.

from ଜିଲ୍ଲା | Sambad https://ift.tt/38V8wKL