ବାମରା : ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ବଡ଼ରମା ରେଞ୍ଜ୍‌ରେ ଗତ ମାସ ୧୪ ତାରିଖରେ ହାତୀ ମୃତ୍ୟୁ ଘଟଣାକୁ ଚପାଇବା ଓ ଚରମ ଅବହେଳା କାରଣରୁ ରାଜ୍ୟ ବନ ମୁଖ୍ୟ ସଂରକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବାମରା ଡିଏଫ୍‌ଓ ଜଣେ ରେଞ୍ଜ ଅଫିସରଙ୍କ ସମେତ ୩ ଜଣଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି। ଏହାକୁ ନେଇ ଅଧିକ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

ପ୍ରାପ୍ତ ସୂଚନା ଅନୁସାରେ, ବଡ଼ରମା ରେଞ୍ଜ ଅନ୍ତର୍ଗତ ଭୂତେଲ ଗ୍ରାମର ୨ ଜଣ ଶିକାରୀ ଏକ ଦନ୍ତା ହାତୀକୁ ହତ୍ୟା କରିଥିଲେ। ଏହାପରେ ସେମାନେ ଦନ୍ତା ହାତୀର ଦାନ୍ତକୁ ଚୋରାରେ ବିକ୍ରି କରୁଥିବା କ୍ରମରେ ଦେବଗଡ଼ ଫରେଷ୍ଟ ଡିଭିଜନର ବରିଷ୍ଠ ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତ ଶିକାରୀଙ୍କ ବିଷୟରେ ସଠିକ ତଦନ୍ତ ନ କରି କେବଳ କେତେକ ଦଫା ଲଗାଇ ଗିରଫ କରି କୋର୍ଟ ଚାଲାଣ କରି କାମ ସାରିଦେଇଥିଲେ। ଉଭୟ ଅଭିଯୁକ୍ତ ହାତୀକୁ ବାମରା ବନ୍ୟ ପ୍ରାଣୀ ଡିଭିଜନ୍‌ରେ ହତ୍ୟା କରିଥିବା ସ୍ୱୀକାର କରିଥିଲେ ହେଁ, ନା ବାମରା ଡିଭିଜନ  ନା ଦେବଗଡ଼ ଡିଭିଜନ ପକ୍ଷରୁ ଏ ନେଇ କୌଣସି ତଦନ୍ତର ଆବଶ୍ୟକତା ଥିବା ହୃଦ୍‌ବୋଧ କରିବା ଜରୁରୀ ମନେ କରି ନ ଥିଲେ। ବଡ଼ରମା ରେଞ୍ଜର ରେଶମା ଜାମୁଡାଲିଆଙ୍କ ପାଖରେ ସମସ୍ତ ସୁବିଧାସୁଯୋଗ ଓ ବ୍ୟବସ୍ଥା ଥାଇ ମୃତ ହାତୀର ଶବକୁ ଠାବ କରିବାରେ ସକ୍ଷମ ହୋଇ ନ ଥିଲେ। ଏହା ତାଙ୍କର ଚରମ ଅବହେଳା ବୋଲି ପ୍ରମାଣିତ ହୋଇଥିଲା।

ସ୍ଥାନୀୟ ଗ୍ରାମବାସୀମାନେ ମୃତ ହାତୀର ଗଳିତ ଶବ ପଡ଼ିଥିବା ବନ ବିଭାଗକୁ ଖବର ଦେଇଥିଲେ। ଏହା ପରେ ହାତୀ ଶିକାର ଘଟଣାକୁ ଚାପିବାକୁ ଉଦ୍ୟମ କରି ତରବରିଆ ଭାବେ ପୋତି ଦିଆଯାଇଥିଲା। ହାତୀ ଶିକାର ଘଟଣାରେ ଚରମ ଅବହେଳା କରିଥିବା ବଡ଼ରମା ରେଂଜ ଅଫିସର ରେଶମା ଜାମୁଡାଲିଆଙ୍କୁ, ରାଜ୍ୟ ବନ ମୁଖ୍ୟ ସଂରକ୍ଷକ,କଟକଙ୍କ ନିର୍ଦ୍ଦେଶ କ୍ରମେ ବାମରା ଡିଏଫଓ ଫାଲଗୁନୀ ସାରଥି ମଲ୍ଲିକ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଭୂତେଲ ଫରେଷ୍ଟର ଦୁଷ୍ମନ୍ତ ଖର୍ସେଲ ଓ ସରଡ଼ା ଫରେଷ୍ଟ ଗାର୍ଡ ଅରୁଣ ଦ୍ବିବେଦୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ବଡ଼ରମା ରେଂଜ ଦାୟିତ୍ବରେ ଭୋଜପୁର ରେଂଜ ଅଫିସର ଲକ୍ଷ୍ମୀ ନାରାୟଣ ନାୟକ ଅତିରିକ୍ତ ଦାୟିତ୍ୱ ବହନ କରିଥିବା ସୂଚନା ରହିଛି।

The post ହାତୀ ଶିକାର ଘଟଣା: ଅବହେଳା ଅଭିଯୋଗରେ ରେଞ୍ଜର୍‌ଙ୍କ ସମେତ ୩  ନିଲମ୍ବିତ first appeared on Sambad.

from ଜିଲ୍ଲା | Sambad https://ift.tt/3tNAFwZ