
ବାମରା : ଶନିବାର ବାମରା ବନ୍ୟପ୍ରାଣୀ ଡିଭିଜନ୍ ଅନ୍ତର୍ଗତ ବଡ଼ରମା ରେଂଜରେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବନ ବିଭାଗକୁ କୌଣସି ସୂତ୍ରରୁ ଖବର ମିଳିଥିଲା। ବାମରା ଡିଏଫଓ ଫାଲଗୁନୀ ସାରଥି ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ କୁଚିଣ୍ଡା ରେଞ୍ଜ ଅଫିସର ଗଗନ ବିହାରୀ ମଲ୍ଲିକ ତଥା ବଡ଼ରମା ରେଂଜ ଦାୟିତ୍ବରେ ଥିବା ଭୋଜପୁର ରେଞ୍ଜ ଅଫିସର ଲକ୍ଷ୍ମୀ ନାରାୟଣ ନାୟକ ପିଛା କରି ସମ୍ବଲପୁର(ପଡ଼ିଆବାହାଲ)ରୁ କୋଲକାତା ଯାଉଥିବା ଟ୍ରକକୁ କାବୁ କରିଥିଲେ। ପରେ ସମ୍ବଲପୁର ନିକଟ କୁଣ୍ଢେଇସରାଠାରେ ଅଟକାଇ ଚୋର ଚାଲାଣ ହେଉଥିବା ଟ୍ରକ ତଥା ବୋଝେଇ ହୋଇଥିବା ୧ ହଜାର ବଣ୍ଡଲ ଶୁଖିଲା କେନ୍ଦୁପତ୍ର(ପ୍ରାୟ ୫୦ କ୍ୱିଣ୍ଟାଲ) ଯାହାର ଅନୁମାନିକ ମୂଲ୍ୟ ୧୨ ଲକ୍ଷ ୫୦ ହଜାର ଟଙ୍କାକୁ ଜବତ କରିଥିଲେ।
ଚୋରା ଚାଲାଣ କାରବାରରେ ସମ୍ପୃକ୍ତ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ମୋଚିବାହାଲ ଗ୍ରାମର ପ୍ରକାଶ ପେଣ୍ଠେଇ ଓ ରବୀନ୍ଦ୍ର ଠେଲାକୁ ଗିରଫ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଉଭୟ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ବେଳେ, ଜବତ ଟ୍ରକ ଓ କେନ୍ଦୁପତ୍ରକୁ କେଏଲରେଞ୍ଜକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ପ୍ରକାଶ ଯେ ଚୋରା ଚାଲାଣ କରାଯାଉଥିବା ଟ୍ରକର ନକଲି ନମ୍ବର ପ୍ଲେଟ୍ (ଓଆର-୦୫-ଏପି-୪୯୦୮) ଲେଖାଯାଇଥିବା ବେଳେ, ଅସଲି ନମ୍ବର (ଓଆର-୧୫-କ୍ୟୁ-୪୨୬୧) ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।
The post ବନ ବିଭାଗ ଦ୍ଵାରା ୧୨ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର କେନ୍ଦୁପତ୍ର ଜବତ,୨ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3Ee5ZcG
0 Comments