
ଦେଓଗାଁ/ଘଣ୍ଟାପଡ଼ା : ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲା ସୀମାରେ ଥିବା ତେଲନଦୀର କେନ୍ଦୁଘାଟ-ଫାସେଡ଼ ଘାଟରେ ଡଙ୍ଗା ବୁଡ଼ି ଜଣେ ଶିଶୁ ନିଖୋଜ ହୋଇଯାଇଛି। ଅନ୍ୟ ୧୪ ଜଣ ଯାତ୍ରୀ ସୁରକ୍ଷିତ ଭାବେ କୂଳକୁ ଚାଲିଆସିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ କୁଲୁତାଯୋର ପଞ୍ଚାୟତ ଅଧୀନରେ ଥିବା ଉକ୍ତ ଡଙ୍ଗାଟି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ର କେନ୍ଦୁଘାଟ ପଟକୁ ଆସିଥିଲା। ଏହି ଡଙ୍ଗାରେ ଫାସେଡ଼ ଗାଁର ଏକ ଫୁଟ୍ବଲ୍ ଟିମ ସହ କିଛି ଯାତ୍ରୀ ଅନ୍ଧାରରେ ନଦୀ ପାରି ହେଉଥିଲେ। ଡଙ୍ଗାଟି ନଦୀ ମଝିରେ ପହଞ୍ଚିବା ବେଳେ ବର୍ଷା ଓ ପବନ ହୋଇଥିଲା। ଫାସେଡ଼ ପଟେ କୂଳକୁ ପହଞ୍ଚିବା ପୂର୍ବରୁ ଏହା ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ଫଳରେ କିଛି ଯାତ୍ରୀ ପହଁରି ପହଁରି କୂଳରେ ଲାଗିଥିଲେ। କିନ୍ତୁ, ଫାସେଡ଼ ଅଞ୍ଚଳର ନରେନ୍ଦ୍ର ତରିଆଙ୍କ ତିନିବର୍ଷ ବୟସର ପୁଅ ପାଣିରେ ଭାସି ଯାଇଥିଲା। ନରେନ୍ଦ୍ର ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ବିଫଳ ହୋଇଥିଲେ। ବଡ଼ବାହାଲ ପଞ୍ଚାୟତ ସରପଞ୍ଚ ଜୟ ରଣାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାତି ୧୦ ପରେ କଣ୍ଟାମାଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀ ଭିତରେ ଶିଶୁକୁ ଖୋଜୁଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରତିଦିନ ଏହି ଡଙ୍ଗାଘାଟରେ ଶତାଧିକ ଲୋକ ଡଙ୍ଗାରେ ନଦୀ ପାରି ହୋଇଥାନ୍ତି।
The post କେନ୍ଦୁଘାଟ-ଫାସେଡ଼ ତେଲନଦୀ ଡଙ୍ଗାଘାଟରେ ଓଲଟିଲା ଡଙ୍ଗା, ୩ ବର୍ଷର ଶିଶୁ ନିଖୋଜ first appeared on Sambad.from ଜିଲ୍ଲା | Sambad https://ift.tt/3jWLbyp
0 Comments