ସମ୍ବଲପୁର : ସମ୍ବଲପୁର ଧନୁପାଲି ପୁଲିସ ହାତରେ ପୁଣିଥରେ ଧରାପଡ଼ିଛି ଏକ ବାଇକ୍‌ ଚୋରି ଗ୍ୟାଙ୍ଗ ଧରାପଡ଼ିଛି। ମୋଟ ଉପରେ ୮ଟି ବାଇକ୍‌ ଜବତ କରିବା ସହ ଗ୍ୟାଙ୍ଗ ଚଳାଉଥିବା ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଏଥିରେ ଆଉକାହାର ସମ୍ପୃକ୍ତି ରହିଛି, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୩ ତାରିଖ ଦିନ ସାକ୍ଷୀପଡ଼ାର ଅନିରୁଦ୍ଧ ପୁରୋହିତ ଧନୁପାଲି ଥାନାରେ ତାଙ୍କ ବାଇକ୍‌ (ଓଡି୧୫ଏନ୍‌୫୨୧୫) ଚୋରି ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଗତ ଜୁନ୍‌ ୨୩ ତାରିଖ ଅପରାହ୍ଣ ୨ଟା୩୦ରୁ ୪ଟା୩୦ ମଧ୍ୟରେ ଚୋରି ହୋଇଯାଇଥିଲା। ଏ ନେଇ ଧନୁପାଲି ପୁଲିସ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ବେଳେ ଧନୁପାଲି ଥାନା ଗୋବିନ୍ଦତୋଲାର ଶେଖ୍‌ ସେହବାଜ୍‌ ଓରଫ୍‌ ରାଜ୍‌(୨୫), ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ପାଖ ଅଞ୍ଚଳର ମହମ୍ମଦ ସରାଫ(୨୬) ଏବଂ ରେଢ଼ାଖୋଲ ଥାନା ଡଇଁଚା ଗ୍ରାମର ସଞ୍ଜୟ ସାମଲ(୨୬)କୁ ପୁଲିସ ଗୁରୁବାର ପୂର୍ବାହ୍ଣରେ ଗିରଫ କରିଥିଲା। ସେମାନଙ୍କୁ ପଚରା ଉଚରା ପରେ ସେମାନେ ସମ୍ବଲପୁର ଅଞ୍ଚଳରୁ ଗାଡ଼ି ଚୋରି କରି ବୌଦ୍ଧ କଣ୍ଟାମାଲ ଅଞ୍ଚଳକୁ ପଠାଉଥିଲେ। ସେଠାରେ ସବୁ କାରସାଦି ହେଉଥିବା ପୁଲିସ ଜାଣିବାକୁ ପାଇଲା। ସେଠାରେ କିଛି ଦୁର୍ବୃତ୍ତ ଚୋରି ଗାଡ଼ିର ଚେଚିସ୍‌ ଓ ଅଞ୍ଜିନ୍‌ ନମ୍ବର ଚେଞ୍ଚ କରିବା ସହ ଫେକ୍‌ ନମ୍ବର ପ୍ଲେଟ୍‌ ଲଗାଉଥିଲେ। ତା’ପରେ ସେହି ଗାଡ଼ିଗୁଡ଼ିକୁ ଲୋକଙ୍କୁ ବିକ୍ରି କରୁଥିଲେ।

ଏହା ଜାଣିବା ପରେ ଧନୁପାଲି ପୁଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରେକାଡୁଲ୍‌ ଗାଁର ସୁବାସ ଖେତି(୨୫) ମନମୁଣ୍ଡା ଥାନା ତୁଣ୍ଡୁନାଲ ଗାଁର ରଞ୍ଜନ ବେହେରା(୪୭)କୁ ପୁଲିସ ଗିରଫ କରିଥିଲା। ରାଜ୍‌, ମହମ୍ମଦ ସରାଫ ଓ ସଞ୍ଜୟ ସମ୍ବଲପୁର, ଯୁଯୁମୁରା, ଚାରମାଲ୍‌, ରେଢ଼ାଖୋଲ, ବୌଦ୍ଧ, ବଲାଙ୍ଗୀର ଅଞ୍ଚଳରୁ ଗାଡ଼ି ଚୋରି କରୁଥିଲେ ଏବଂ ସୁବାସ ଓ ରଞ୍ଜନକୁ ଦେଉଥିଲେ। ସେଠାରେ ଗାଡ଼ିର ଇଞ୍ଜିନ, ଚେଚିସ୍‌ ନମ୍ବର ବଦଳାଇ ଫେକ୍‌ ନମ୍ବରପ୍ଲେଟ୍‌ ଲଗାଇ ଲୋକଙ୍କୁ ବିକ୍ରି କରୁଥିଲେ। ଏହି ଗ୍ୟାଙ୍ଗ ୫୦ରୁ ଅଧିକ ଚୋରି ଗାଡ଼ି ବିଭିନ୍ନ ସ୍ଥାନରେ ଲୋକଙ୍କୁ ବିକ୍ରି କରିଥିବା ପୁଲିସ ଅନୁମାନ କରୁଥିବା ବେଳେ ସେଗୁଡି଼କୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା କହିଛି।

The post ସମ୍ବଲପୁରରୁ ପୁଣିଥରେ ଠାବ ହେଲା ଗାଡ଼ି ଚୋରି ରାକେଟ୍‌; ୮ ବାଇକ୍‌ ଜବତ, ୫ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3jWLolb