ସମ୍ବଲପୁର : ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରରେ ଆଲୋକ ଓ ଶବ୍ଦ ସୋ’ ପ୍ରଦର୍ଶନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ଏହାର ନିର୍ଦ୍ଦିଷ୍ଟ କେତେକ ଦୃଶ୍ୟକୁ ନେଇ ବିରୋଧ ହେଉଛି।

ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ସୁଧୀର ରଞ୍ଜନ ବହିଦାର କହିଛନ୍ତି ଯେ ସରକାରଙ୍କ ଏହି ସୋ’ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ଅଟେ। କିନ୍ତୁ, ଆମର ଅଧିଷ୍ଠାତ୍ରୀ ଦେବୀ ମାଁ’ଙ୍କ ମନ୍ଦିର ଉପରେ ଯୋତାର ଛବି ଦେଖିବା ବହୁତ ଦୁଃଖର ଘଟଣା। ଏହା ଆମର ଦେବୀ ମାଁ’ଙ୍କ ପବିତ୍ରତା ଆଉ ଆଧ୍ୟମିକତାକୁ ନଷ୍ଟ କରୁଥିବାରୁ ବଜରଙ୍ଗ ଦଳ ଏହାର ଘୋର ବିରୋଧ କରୁଛି। ଯଥାଶୀଘ୍ର ଆଲୋକ ଆଉ ଶବ୍ଦ ସୋ’ରୁ ଯୋତାର ଛବିକୁ ହଟାଯାଉ। ନଚେତ, ଆଗାମୀ ଦିନରେ ସୋ’କୁ ମନ୍ଦିରରେ ଚଳାଇବାକୁ ଦିଆଯିବ ନାହିଁ। ଆମର ମାଁ’ଙ୍କ ଅସମ୍ମାନ ହେବାକୁ ଦେବୁ ନାହିଁ ବୋଲି ଶ୍ରୀ ବହିଦାର ଏକ ପ୍ରେସ୍ ବିବୃତିରେ କହିଛନ୍ତି। ସେହିପରି କବି ତଥା ଐତିହାସିକ ଡ. ଶଶାଙ୍କ ଶେଖର ପଣ୍ଡା ଏହି କାର୍ଯ୍ୟକ୍ରମର କେତେକ ଦୃଶ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ମାଁ ସମେଲଶ୍ବରୀଙ୍କ ମନ୍ଦିର ଶିଖରରେ ଏବଂ ଜଗମୋହନ ହଲ୍‌ ଉପରେ ରଂଗୀନ ଆଲୋକ ମାଧ୍ୟମରେ ପ୍ରଦର୍ଶନ କରି ଏକ ଦୃଶ୍ୟରେ ଜଣେ ବାଦ୍‌ଶାହାଙ୍କର ଦରବାରୀ ରାଜପୋଷାକ ପିନ୍ଧି ବସିଥିବାର ଏବଂ ତାଙ୍କ ପଛରେ ଅମୀର ଖୁସ୍ରୁ ଭଳି ଜଣେ ଦରବାରୀ ମୋଗଲ ଶାସନ ସମୟର ଗୋଲାକାର ପଗଡ଼ି ପିନ୍ଧିଥିବାର ଦୃଶ୍ୟ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କର ଧର୍ମଭାବନା ଉପ‌ରେ କୁଠାରାଘାତ ସଦୃଶ। ଓଡ଼ିଶା ସରକାର ଏହି ବିବାଦାସ୍ପଦ ଧର୍ମବିରୋଧୀ ଦୃଶ୍ୟକୁ ନହଟାଇଲେ ଭବିଷ୍ୟତରେ ଏହା ବିପଦ ସୃଷ୍ଟି କରିପାରେ ବୋଲି ଡ.ପଣ୍ଡା କହିଛନ୍ତି।

The post ସମ୍ବଲପୁର: ଆରମ୍ଭରୁ ବିବାଦରେ ଆଲୋକ ଓ ଶବ୍ଦ ସୋ’ କାର୍ଯ୍ୟକ୍ରମ, ମନ୍ଦିରରେ ଯୋତା ଛବିକୁ ବିରୋଧ first appeared on Sambad.

from ଜିଲ୍ଲା | Sambad https://ift.tt/2VziHBq