ପାତ୍ରପୁର/ରା.ଉଦୟଗିରି : ସରୁନି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜୟନ୍ତିପୁର ଗ୍ରାମର ଗୁଣନିଧି ପଣ୍ତା ଓ ପ୍ରତିମା ଦେବୀଙ୍କ ସାନପୁଅ ସୁଦର୍ଶନ ପଣ୍ତା (୨୫) ଓ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ପୁରୁଣାପାଣି ପଞ୍ଚାୟତର କାଳାଦ୍ଵାରୀ ଗ୍ରାମର ଉଚିତ ରଇତ (୨୧)।

ଜୟନ୍ତିପୁର ଗ୍ରାମର ସୁଦର୍ଶନ ହାଇଦ୍ରାବାଦରେ ୪ ବର୍ଷ ହେଲା ବଡ଼ଭାଇ ସନ୍ତୋଷଙ୍କ ସହ ରହି ଏକ ଘରୋଇ କମ୍ପାନିରେ ଲିଫ୍ଟ ମେକାନିକାଲ୍ ଭାବେ କାମ କରୁଥିଲେ। ଗତକାଲି ରାତିରେ ଦୁଇଭାଇ ଶୋଇଥିଲେ। ହେଲେ ସୁଦର୍ଶନ ଛାତ ଉପରକୁ ଯାଇଥିବା ସିସିଟିଭ୍ ଫୁଟେଜ୍‌ରୁ ଜଣାପଡ଼ିଛି। କିନ୍ତୁ ପରେ ତାଙ୍କ ଶବ ତଳୁ ଉଦ୍ଧାର ହୋଇଛି। ଫଳରେ ସେ ତଳକୁ ଖସି ମରିଛନ୍ତି ନା ଏହା ପଛରେ ଅନ୍ୟ କ’ଣ କାରଣ ରହିଛି, ଏନେଇ କିଛି ସ୍ପଷ୍ଟ ହୋଇପାରିନି। ଆଜି ଶବ ବ୍ୟବଚ୍ଛେଦ ପରେ ହାଇଦ୍ରାବାଦରେ ହିଁ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।

କିନ୍ତୁ ସୁଦର୍ଶନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ପୁଅକୁ ଶେଷଥର ବି ଦେଖି ନପାରି କର୍କଟ ପୀଡ଼ିତା ମାଆ ପ୍ରତିମା ବାହୁନି ବାହୁନି କାନ୍ଦୁଛନ୍ତି। ଘରର ଆର୍ଥିକ ସ୍ଥିତି ଭଲ ନଥିବା ଦୁଇ ପୁଅ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ। ଏହାସହ ମାଆଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେଠାକାର ପୁଲିସ କହିଛି।

ସେହିପରି ଗଜପତି ଜିଲ୍ଲା ପୁରୁଣାପାଣି ପଞ୍ଚାୟତ କାଳାଦ୍ଵାରୀ ଗ୍ରାମର ୨୧ ବର୍ଷୀୟ ଉଚିତ ରଇତ। ମାତ୍ର ତିନିମାସ ତଳେ ଦାଦନ ଖଟିବାକୁ ମହାରାଷ୍ଟ୍ରର କରଜତ ଅଞ୍ଚଳକୁ ଯାଇଥିଲେ। ପାତ୍ରପୁର ବ୍ଲକ୍ ପଦାଡିଗି ଗ୍ରାମର ଠିକାଦାର ଗଗନ ସିଂଙ୍କ ଜରିଆରେ ସେ ସେଠାକୁ ଯାଇଥିଲେ। ଦୈନିକ ୮ଘଣ୍ଟାର କାମ। ମୂଲ ୪୦୦ ଟଙ୍କା। ଗଣେଶ ପୂଜାଦିନ ଅପରାହ୍‌ଣରେ କଂକ୍ରିଟ ସେଟ୍ କରିବା ପାଇଁ ଭାଇବ୍ରେଟର ବ୍ୟବହାର କରୁଥିବା ବେ‌ଳେ ବିଦ୍ୟୁତ୍ ଆଘାତରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଆଜି ସକାଳେ ଶବ ଗାଁରେ ଆସି ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ଶବ ଗାଁରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ପରିବାରବର୍ଗ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ସରପଞ୍ଚଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ଠିକାଦାର ମୃତକ ପରିବାରକୁ ୪୦ ହଜାର ଟଙ୍କା ସତ୍କାର ନିମନ୍ତେ ଦେଇଥିଲେ। ଏପଟେ ବାପା ବୁଦ୍ଧିଆ ରଇତ ଅଭିଯୋଗ କରିଛନ୍ତି, ପୁଅର ମୃତ୍ୟୁକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହାର ତଦନ୍ତ ହେଉ। ତେବେ ଉଚିତଙ୍କ ଏଭଳି ଆକସ୍ମିକ ମୃତ୍ୟୁରେ ଭାଇଭଉଣୀଙ୍କ ଆଖିରୁ ଲୁହ ଶୁଖୁନି। ରୋଜଗାର ଆଶାରେ ସେ ଯାଇଥିଲେ। ତାଙ୍କ ଶବ ଫେରିଲା ବୋଲି କୋହଭରା କଣ୍ଠରେ କହିଛନ୍ତି।

The post ପ୍ରାଣ ହରାଇଲେ ୨ ଦାଦନ ଓଡ଼ିଆ, ରୋଜଗାର ଆଶାରେ ଯାଇଥିଲେ, ଶବ ଫେରିଲା first appeared on Sambad.

from ଜିଲ୍ଲା | Sambad https://ift.tt/3936uIw