
କେନ୍ଦୁଝର : ନିର୍ମାଣାଧୀନ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକମାନେ ନାହିଁ ନଥିବା ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ସେମାନଙ୍କୁ ଧାନ ଅମଳ ପର୍ଯ୍ୟନ୍ତ ସମୟ ଦିଆଯାଉ ବୋଲି ବିସ୍ଥାପିତ ଗ୍ରାମ ମଧ୍ୟରୁ ଆଜି ଚମକପୁର ବିସ୍ଥାପିତ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି।
ସେମାନଙ୍କ ଦାବି ହେଲା, ବର୍ତ୍ତମାନ ସେମାନଙ୍କ ଘର ଭଙ୍ଗା କାର୍ଯ୍ୟ କିଛିଦିନ ପାଇଁ ସ୍ଥଗିତ ରଖାଯାଉ। କାନପୁର ଜଳସେଚନ ପ୍ରକଳ୍ପ ଦୀର୍ଘବର୍ଷ ହେଲା ନିର୍ମାଣ ଚାଲିଛି। ଆଉ ଏହି ନିର୍ମାଣ ମଧ୍ୟରେ ମଧ୍ୟ ସେମାନେ ସେମାନଙ୍କ ଘରେ ରହୁଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ପୂର୍ବପରି ତାଙ୍କ ଜମିରେ ବିଭିନ୍ନ ପ୍ରକାର ଚାଷ ମଧ୍ୟ କରିଚାଲିଥିଲେ। ଚଳିତ ବର୍ଷ ମଧ୍ୟ ପାଖାପଖି ୧୫ ଶହ ଏକର ଜମିରେ ଧାନ ଚାଷ କରିଛନ୍ତି। ସେହି ଧାନ ଅମଳ ପର୍ଯ୍ୟନ୍ତ ତାଙ୍କ ଘର ଭଙ୍ଗା କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିବେଦନ କରିଛନ୍ତି। ଯଦି ବର୍ତ୍ତମାନ ସେମାନଙ୍କ ଘର ଭାଙ୍ଗି ଦିଆଯିବ। ଏହି ସମୟରେ ତାଙ୍କ ଗାଁ ମୁଣ୍ଡ ଜଙ୍ଗଲରେ ଥିବା ୩୨ଟି ହାତୀ ତାଙ୍କ ଧାନ ଫସଲକୁ ନଷ୍ଟ କରିଦେବେ। ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ବର୍ତ୍ତମାନ ସେମାନଙ୍କ ଘର ଥିବାରୁ ସେମାନେ ହାତୀକୁ ଜଗି ପାରୁଛନ୍ତି । ଆଉ ଆବଶ୍ୟକ ସ୍ଥଳେ ହାତୀକୁ ମଧ୍ୟ ଘଉଡାଇ ଦେଇପାରୁଛନ୍ତି ବୋଲି କହିଛନ୍ତି ।
ଗ୍ରାମର ପରମ୍ପରାକୁ ମଧ୍ୟ ଜୀବିତ ରଖିବା ପାଇଁ ପ୍ରଶାସନ ଦପକ୍ଷେପ ନେବାକୁ ନିବେଦନ କରିଛନ୍ତି ।
ହିନ୍ଦୁ ଧର୍ମର ଲୋକ ଯେଉଁଠାରେ ବସବାସ କରନ୍ତି । ସେଠାରେ ଗ୍ରାମ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତି। ସେମାନେ ବିସ୍ଥାପିତ ହୋଇଯିବା ପରେ ଦେବଦେବୀ ଅବହେଳିତ ହୋଇଯିବେ। ତେଣୁ ଦେବଦେବୀଙ୍କୁ ଉପଯୁକ୍ତ ସ୍ଥାନରେ ପୂଜାର୍ଚ୍ଚନା ପାଇବା ପରି ବ୍ୟବସ୍ଥା କରାଯାଉ । ଗ୍ରାମରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକ ଆଙ୍ଗୁଳିଆ କଲୋଣୀକୁ ସ୍ଥାନାନ୍ତରିତ ହେବାକୁ ଥିବା ବେଳେ ତାହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ନାହିଁ। ନୂତନ କଲୋନିରେ ଖେଳ ପଡ଼ିଆ ନଥିବାରୁ ପିଲାମାନଙ୍କ ଖେଳକୁଦ ପାଇଁ ଅସୁବିଧା ଉପୁଜିବ। ଆଙ୍ଗୁଳିଆ ନୂତନ କଲୋନିରେ ୧୦୮ଟି ପରିବାର ପାଇଁ ୫୦ ପରିବାର ପାଇଁ ପାଇଖାନା ନିର୍ମାଣ ହୋଇଛି । ଅବଶିଷ୍ଟ ପରିବାର ପାଇଁ ତୁରନ୍ତ ପାଇଖାନା ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି। ବିସ୍ଥାପନ ପୂର୍ବରୁ ସେମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ବିସ୍ଥାପିତମାନେ ଦାବି ଜଣାଇଛନ୍ତି।
The post ଜିଲ୍ଲାପାଳଙ୍କୁ ଫେରାଦ ହେଲେ କାନପୁର ବିସ୍ଥାପିତ: ଧାନ ଅମଳ ପର୍ଯ୍ୟନ୍ତ ସମୟ ଦିଅ first appeared on Sambad.from ଜିଲ୍ଲା | Sambad https://ift.tt/3ioVutV
0 Comments