ଜୟପୁର : ଜୟପୁର-କୋରାପୁଟ ଜାତୀୟ ରାଜପଥ ୨୬ର ବାରିଣୀପୁଟ ନିକଟରେ ୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଓବେଶଭୁଷା ପ୍ରତିମୂର୍ତ୍ତି ସ୍ବାଗତ ତୋରଣକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ କିଛି ସପକ୍ଷ ଓ ବିପକ୍ଷ ମତ ସାମାଜିକ ଗଣମାଧ୍ୟମରେ ଦେବାରେ ଲାଗିଛନ୍ତି।
ଯେଉଁ ମାନେ ଏହାକୁ ବିରୋଧ କରିବାକୁ ଆରମ୍ଭ କରିଛନ୍ତି ସେମାନେ ଗତ ୩୦ବବର୍ଷ ହେବ ଜୟପୁରର କଣ କଣ ବିକାଶ ହୋଇଛି ତାହାର ତର୍ଜମା କରନ୍ତୁ ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ବିକାଶକୁ ସହ୍ୟ କରି ନ ପାରି ଏଭଳି ମିତ୍ୟା ଅଭିଯୋଗ କରୁଛନ୍ତି। ଜୟପୁରର ସର୍ବାଙ୍ଗୀନ ବିକାଶ ମୋର ଲକ୍ଷ୍ୟ। ଯେଉଁ ମାନେ ଏଭଳି କହୁଛନ୍ତି ଜିଲ୍ଲାର ଗୁପ୍ତେଶ୍ବର ନିକଟରେ ହଳଦୀକୁଣ୍ଡ, ଗୋୟଲକୁଣ୍ଡ ଅଂଚଳରେ ଗଣ୍ଡ ସଂପ୍ରଦାୟର ଲୋକେ ରହିଛନ୍ତି। ସେଭଳି ଦୁରୁଆ, କୋୟା, କନ୍ଦ ସଂପ୍ରଦାୟର ଲୋକେ ବି ମଇଁଷିର ସିଙ୍ଗକୁ ନେଇ ଏଭଳି ମୁଣ୍ଡ ତିଆରି କରି ପାରମ୍ପରିକ ନାଚ ଗୀତରେ ଭାଗ ନିଅନ୍ତି। ନୂଆଦିଲ୍ଲୀରେ ଏହି ବେଶଭୁଷାରେ ଥିବା ଲୋକକଳାକାର ପୁରସ୍କୃତ ହୋଇଥିବା ଫଟୋ ଚିତ୍ରର ମୂର୍ତ୍ତି ତିଆରି କରାଯାଇଛି ବୋଲି କହିଛନ୍ତି ବିଧାୟକ। ସେଭଳି ଆଉ ୨ଟି ରାସ୍ତାର ତୋରଣ ନିର୍ମାଣ, ଟ୍ରାଫିକ ଛକ, ସହରର ରାଜନଅର ଆଦିରେ ବି ଜିଲ୍ଲାର ଭୁମିଆ, ପରଜା, ଭତରା, ଦୁରୁଆ, ଗଣ୍ଡ ଆଦି ଅନ୍ୟାନ୍ୟ ସଂପ୍ରଦାୟର ଲୋକନୃତ୍ୟ, ବେଶଭୁଷାକୁ ନେଇ ପ୍ରତିମୂର୍ତ୍ତି ତିଆରି କରି ସ୍ଥାପନ କରାଯିବ ବୋଲି କହିଛନ୍ତି ଜୟପୁର ବିଧାୟକ। ବିରୋଧ କରିବା ବଦଳରେ ନିଜେ ସଂପୃକ୍ତି ଦେଖାଇ ଫଟୋ ଆଣନ୍ତୁ ଆମେ ଅନ୍ୟ ସ୍ଥାନରେ ତାହାକୁ ସାମିଲ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ବିଧାୟକ।
ଦଣ୍ଡକାରଣ୍ୟ ଅଂଚଳରେ ଏଭଳି ବେଶଭୁଷାରେ ପ୍ରକୃତିର ସନ୍ତାନ ମାନେ ରହି ଆସୁଥିଲେ। ଆମେ ସେମାନଙ୍କୁ ଭାଗ ଭାଗ କରି ଅବିଭକ୍ତ କୋରାପୁଟ ଜିଲ୍ଲା, ଛତିଶଗଡ଼, ତେଲଙ୍ଗନା , ଆନ୍ଧ୍ର ପ୍ରଦେଶ ଆଦି କରିଛୁ। ଏବେ ବି ସେମାନେ ପୂର୍ବର ଦଣ୍ଡକାରଣ୍ୟ ଅଂଚଳରେ ସମାନ ବେଶଭୁଷା, ନୃତ୍ୟ ଗୀତ, ଆଦିବାସୀ ଅଳଙ୍କାର ଆଦି ପିନ୍ଧୁଛନ୍ତି ବୋଲି କହିଛନ୍ତି ଆଦିବାସୀ ଗବେଷକ ପରେଶ ରଥ, ସମାଜ ସେବୀ କାର୍ତ୍ତିକ ରାଉତ, ଧର୍ମେନ୍ଦ୍ର ଅଧିକାରୀ। ଆନ୍ଧ୍ର ପ୍ରଦେଶର ଆରୁକୁ ଭେଲ୍ଲୀ ଆଦିବାସୀ ସଂଗ୍ରହଳାୟରେ କୋରାପୁଟ ଜିଲ୍ଲାର ଢ଼େମସାର ପ୍ରତିମୃର୍ତ୍ତି ରହିଛି। ସେଭଳି ଭାରତର ଲୋକକଳା , ଲୋକସଂସ୍କୃତି, ନୃତ୍ୟ , ବେଶଭୁଷାକୁ କଳାରେ କଳାକାର ପରିପ୍ରକାଶ କରି ପାରିବ। ଏଥିରେ ଆମେ ବାଧା ଦେବା ଉଚିତ ନୁହେଁ ବୋଲି ମତ ପ୍ରକାଶ ପାଇଛି। କୋୟା ସଂପ୍ରଦାୟର ବି ଲୋକେ ଏଭଳି ବେଶଭୁଷାେରେ ରୁହନ୍ତି ବୋଲି ଏମାନେ କହିଛନ୍ତି।
ଅନ୍ୟ ପକ୍ଷରେ ଏହାକୁ ବିରୋଧ କରିବା ସହ ଏହା ଛତିଶଗଡ଼ର ଗଣ୍ଡ ସଂପ୍ରଦାୟର ପ୍ରତିମୂର୍ତ୍ତି ବୋଲି କହିଛନ୍ତି ମନୋଜ ପାତ୍ର, ରବିନ୍ଦ୍ର ମହାପାତ୍ର, ଗୁପ୍ତ ପାଣିଗ୍ରାହୀ। ଏହା ଦ୍ବାରା ଏଠାକାର ଲୋକପରମ୍ପରା ଓ ବେଶଭୁଷା, ନୃତ୍ୟଗୀତରେ ବାଧା ଉପୁଜିବ ବୋଲି କହିଛନ୍ତି ଶ୍ରୀ ପାତ୍ର, ଶ୍ରୀ ମହାପାତ୍ର, ଶ୍ରୀ ପାଣିଗ୍ରାହୀ। ତେବେ ତୋରଣର ପ୍ରତିମୂର୍ତ୍ତିକୁ ନେଇ ଚାଳିଥିବା ଚର୍ଚ୍ଚାକୁ ନେଇ ଧିରେ ଧିରେ ରାଜନୈତିକ ଉଷ୍ମତା ଦେଖାଦେବା ଆରମ୍ଭ ହୋଇଛି।

The post ସ୍ବାଗତ ତୋରଣର ମୂର୍ତ୍ତିକୁ ନେଇ ଚର୍ଚ୍ଚା ଜୋର first appeared on Sambad.

from ଜିଲ୍ଲା | Sambad https://ift.tt/3ChhgaF