କୋରାପୁଟ: କୋରାପୁଟ ପୁଲିସ ନିକଟରେ ହାର୍ଡକୋର ମାଓନେତା ସୋନଲ ମାଡ଼ଭି ଓରଫ କିରଣ ଆଜି ଆତ୍ମସମର୍ପଣ କରିଛନ୍ତି। ଏହି କୁଖ୍ୟାତ ମାଓବାଦୀଙ୍କ ପାଇଁ ଓଡ଼ିଶା ସମେତ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ସରକାର ୪ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ତେବେ ମୁଖ୍ୟସ୍ରୋତକୁ ଫେରି ସ୍ବାଭାବିକ ଜୀବନ ବଞ୍ଚିବାକୁ ନିଷ୍ପତ୍ତି ନେଇ ପୁଲିସ ସହ ଯୋଗାଯୋଗ କରିଥିଲେ। ଏହାପରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଏସ୍‌.ଏସ୍‌ ପାନୱାର ଓ କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଆନ୍ଧ୍ର-ଓଡ଼ିଶା ସ୍ପେସାଲ ଜୋନାଲ କମିଟିର ମାଲକାନଗିରି ଜିଲ୍ଲା କୁଡୁଗୁଲୁଗୁମ୍ମା ଏରିଆ କମିଟି ସଦସ୍ୟ ଥିଲେ କିରଣ। ୨୦୧୨ ମସିହାରେ ପାମେଡୁ ଏରିଆ କମିଟିରେ ସାମିଲ ହୋଇ ଛତିଶଗଡ଼ରେ ତାଲିମ ନେଇଥିଲେ। ଏହାପରେ ୨୦୧୮ ମସିହା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ନନ୍ଦପୁର, ଗୁମ୍ମା, ପେଦାବାଇଲ ଏରିଆ କମିଟି ପାଇଁ କାମ କରିଥିଲେ। ୨୦୧୫ରେ ପଦୋନ୍ନତି ମିଳିଥିବା ବେଳେ ସଂଗଠନ ତାଙ୍କୁ ଇନ୍‌ସାସ୍‌ ରାଇଫଲ୍‌ ଦେଇଥିଲା। ତେବେ ୨୦୧୮ ମସିହାରେ ଆନ୍ଧ୍ର ପୁଲିସ ଦ୍ବାରା ଗିରଫ ହୋଇଥିଲେ। କିନ୍ତୁ ୨୦୧୯ ମସିହାରେ ଜାମିନ ମିଳିବାରୁ ପୁଣି ସଂଗଠନ ପାଇଁ କାମ କରିଥିଲେ। ୨୦୧୬ ମସିହାରେ ମାଲକାନଗିରି ଜିଲ୍ଲା ରାମାଗୁଡାରେ ଗୁଳି ବିନିମୟ, ୨୦୧୫ରେ ବେଜିଂ ଗୁଳି ବିନିମୟ, ୨୦୧୯ରେ ତିରିଆ ଗୁଳି ବିନିମୟ, ୨୦୨୦ରେ ତୋଟାଗୁଡା ଗୁଳି ବିନିମୟ ଓ ୨୦୨୧ ଚନ୍ଦାମେଟା ଗୁଳି ବିନିମୟ ଘଟଣାରେ ସଂପୃକ୍ତ ଥିବା ପୁଲିସ ସୂଚନା ଦେଇଛି। ଆତ୍ମସମର୍ପଣ ପରେ ତାଙ୍କୁ ସରକାରଙ୍କ ନୀତି ଅନୁଯାୟୀ ଆର୍ଥିକ ସହାୟତା, ଘର ଏବଂ କର୍ମସଂସ୍ଥାନ ଯୋଗାଇ ଦିଆଯିବ ବୋଲି ଡିଆଇଜି କହିଛନ୍ତି। ପୂର୍ବରୁ ତାଙ୍କ ପତ୍ନୀ ତୁଲସା ହୁଇକା ମଧ୍ୟ ଆତ୍ମସମର୍ପଣ କରିଥିଲେ।

The post ମୋଷ୍ଟୱାଣ୍ଟେଡ୍‌ ମାଓନେତା କିରଣଙ୍କ ଆତ୍ମସମର୍ପଣ first appeared on Sambad.

from ଜିଲ୍ଲା | Sambad https://ift.tt/3nza9q2