ସୁନ୍ଦରଗଡ଼:  ‘କାଳଜୟୀ ସ୍ରଷ୍ଟା ଭାବେ ଯେଉଁ କେତେ ଜଣ ସାହିତ୍ୟିକ ଓଡ଼ିଆ ସାହିତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇଛନ୍ତି, ସେମାନଙ୍କ ମଧ୍ୟରୁ କବି ଗଙ୍ଗାଧର ମେହେରଙ୍କ ପରେ ଯାହାଙ୍କ ନାମ ଚିର ସ୍ମରଣୀୟ ଓ ବନ୍ଦନୀୟ, ସିଏ ହେଉଛନ୍ତି ‘ଗ୍ରାମପଥ’ର କବି ବିନୋଦଚନ୍ଦ୍ର ନାଏକ। କିନ୍ତୁ ବିଡ଼ମ୍ବନା, ବିଶ୍ବ ଖ୍ୟାତ ଏହି କବି ନିଜ ଜନ୍ମମାଟିରେ ଅଲୋଡ଼ା ହୋଇ ରହିଛନ୍ତି। ସୁନ୍ଦରଗଡ଼ରେ ଏଯାଏ ତାଙ୍କ ପ୍ରତିମୂର୍ତ୍ତିଟେ ସ୍ଥାପନ ହୋଇପାରି ନାହିଁ।

ପୂଜ୍ୟ ପୂଜାର ଏ ଦାରୁଣ ନମୁନା ସମଗ୍ର ସାହିତ୍ୟପ୍ରେମୀଙ୍କୁ ବ୍ୟଥିତ କରିଛି’। ଆଜି ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ସ୍ଥାନୀୟ ସାହିତ୍ୟ ଅନୁଷ୍ଠାନ ‘ଅରଣ୍ୟା’ ସହଯୋଗରେ ସୁନ୍ଦରଗଡ଼ସ୍ଥିତ ବିକାଶ ଭବନରେ ଅନୁଷ୍ଠିତ କବି ବିନୋଦଚନ୍ଦ୍ର ନାଏକଙ୍କ ୧୦୨ତମ ରାଜ୍ୟସ୍ତରୀୟ  ଜୟନ୍ତୀରେ ଅତିଥି ଭାବେ ଯୋଗ ଦେଇଥିବା ବିଶିଷ୍ଟ  ସାହିତ୍ୟିକମାନେ କବିଙ୍କ ସ୍ମୃତିଚାରଣ ଅବସରରେ ଏ ବ୍ୟଥାକୁ ଉପସ୍ଥାପନ କରିଛନ୍ତି। ୩ଟି ଅଧିବେସନ ମାଧ୍ୟମରେ ଅନୁଷ୍ଠିତ ଏହି ଉତ୍ସବରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ସମେତ ବିଭିନ୍ନ ଜିଲ୍ଲାରୁ ବହୁ ବିନୋଦ ପ୍ରେମୀ ଓ ସାହିତ୍ୟିକ ଯୋଗ ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ଭୂପେନ ମହାପାତ୍ର ଉତ୍ସବକୁ ଉଦଘାଟନ କରିବା ପରେ ଗାଳ୍ପିକା ଡ. ସୁପ୍ରିୟା ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେସନରେ କବିଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଦେଇ  ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।

ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ତଥା ଓଡ଼ିଶା ସାହିତ୍ୟ ଏକାଡେମି ପୂର୍ବତନ ଉପସଭାପତି ଗିରି ଦଣ୍ଡସେନା, ବିଶିଷ୍ଟ ଅତିଥି ରୂପେ ଗାଳ୍ପିକ ରାଜକିଶୋର ଷଡ଼ଙ୍ଗୀ, ସାହିତ୍ୟିକ ଶିବପ୍ରିୟା ମିଶ୍ର ମଞ୍ଚାସୀନ ହୋଇ କବିଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅଧିବେସନରେ ଓଡ଼ିଶା ସାହିତ୍ୟ ଏକାଡେମି ସାହିତ୍ୟ ପତ୍ରିକା ‘କୋଣାର୍କ’ର କବି ବିନୋଦଚନ୍ଦ୍ର ନାଏକ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା। ଏହା ସହ ବରିଷ୍ଠ ନାଟ୍ୟକାର ରମେଶ ବେହେରାଙ୍କୁ ‘ଅରଣ୍ୟା’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।  ଦ୍ବିତୀୟ ଅଧିବେସନ ଆଲୋଚନାପର୍ବକୁ ଅଧ୍ୟକ୍ଷତା କରିଥିଲେ ସାହିତ୍ୟିକ କବି  ତଥା ଓଡ଼ିଶା ସାହିତ୍ୟ ଏକାଡେମି ନିର୍ବାଚିତ ସଦସ୍ୟ ରାଜୀବ ପାଣି।

ଏଥିରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ଡ. ପ୍ରଭାତ କୁମାର ମଲ୍ଲିକ ଯୋଗ ଦେଇଥିଲେ।  ସମ୍ମାନିତ ବକ୍ତା ପ୍ରାବନ୍ଧିକ ଡ. ଭଗବାନ ପଟେଲ ‘ ବିନୋଦଚନ୍ଦ୍ରଙ୍କ ଜୀବନ ଓ ସୃଜନ’ ଏବଂ  ମୁଖ୍ୟ ବକ୍ତା ସାହିତ୍ୟିକ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ର ‘ବିନୋଦଚନ୍ଦ୍ରଙ୍କ କାବ୍ୟିକ ସ୍ବାତନ୍ତ୍ରୢ’ ଶୀର୍ଷକରେ ଆଲୋଚନା କରିଥିଲେ। ତୃତୀୟ ବା ଶେଷ ଅଧିବେସନରେ  ଡ. କୃପାସିନ୍ଧୁ ନାୟକଙ୍କ ପୌରୋହିତ୍ୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବି ଗୋପକୃଷ୍ଣ ନାୟକ, ମିନତି ମିଶ୍ର, ଅଙ୍ଗୁରବାଳା ପରିଡ଼ା ଓ ଗଣେଶ ତ୍ରିପାଠୀଙ୍କ ସଂଯୋଜନାରେ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ଓଡ଼ିଶା ସାହିତ୍ୟ ଏକାଡେମିର ସ୍ବନକ୍ଷତ୍ର ଦିବସ ଅବସରରେ ହୋଇଯାଇଥିବା ଜିଲ୍ଲାସ୍ତରୀୟ ବତ୍କୃତା, କୁଇଜ, ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

The post ସୁନ୍ଦରଗଡ଼ରେ ରାଜ୍ୟସ୍ତରୀୟ କବି ବିନୋଦ ଜୟନ୍ତୀ: ‘ବିଶ୍ବ ଖ୍ୟାତ ବିନୋଦଚନ୍ଦ୍ର ଏଯାଏ ନିଜ ଜନ୍ମମାଟିରେ ଅଲୋଡ଼ା’  first appeared on Sambad.

from ଜିଲ୍ଲା | Sambad https://ift.tt/38JqsHW