ବଲାଙ୍ଗୀର/ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା। ତୁରେକେଲା ବ୍ଲକ୍‌ କାଦୋବେଡ଼ା ଗାଁ ପରେ ଏବେ ଅଭିଯୋଗ ଆସିଛି ପାଟଣାଗଡ଼ ବ୍ଲକ୍‌ ଭାଲୁଜୁରୀ ଗାଁରୁ। ଏହି ଗାଁର ଯୁବ ଚାଷୀ ଯୁଧିଷ୍ଠିର ଭୋଇ (୪୦ବର୍ଷ) ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଚାଷରେ କ୍ଷତି ଯୋଗୁଁ ଯୁଧିଷ୍ଠିର ମାନସିକ ଚିନ୍ତାରେ ରହୁଥିଲେ ଓ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାରବର୍ଗ ଓ ଗ୍ରାମବାସୀ କହିଛନ୍ତି। ଯୁଧିଷ୍ଠିର ୫ ଏକର ଜମି ଭଡ଼ା ସୂତ୍ରରେ ନେଇ ଧାନ ଚାଷ କରିଥିବା ବେଳେ ନିଜ ପୈତୃକ ଜମି ଦେଢ଼ ଏକରରେ କପା ଚାଷ କରିଥିଲେ। ଧାନ ଚାଷ ପଲ୍‌ହା ପକାଇବା ପରେ ବର୍ଷାଭାବରୁ ରୁଆ ବେଉଷଣ ହୋଇନଥିଲା। ଚାଷ ଅଟକିଯାଇଥିବା ବେଳେ ୫ ଏକର ଜମି ଭଡ଼ା କେମିତି ଦେବେ ସେହି ଚିନ୍ତାରେ ରହିଥିଲେ। ଏଥିପାଇଁ ସେ ବିଷ ପିଇଦେଇଥିବା ପରିବାର ଲୋକେ କହିଛନ୍ତି।

ଯୁଧିଷ୍ଠିର ଶନିବାର ବିଷ ପିଇଦେଇଥିଲେ। ଘରକୁ ଆସି ସେ ଏ ସଂପର୍କରେ କହିଥିଲେ। ତୁରନ୍ତ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣା ସଂପର୍କରେ ପଚରାଯିବାରୁ ଚାଷବାସ ତ ଗଲା ଆଉ କଣ ପାଇଁ ମୁଁ ବଂଚିବି ବୋଲି ଯୁଧିଷ୍ଠିର କହିଥିବା ପରିବାର ଲୋକେ ଗଣମାଧ୍ୟମଠାରେ ପ୍ରକାଶ କରିଛନ୍ତି। ତେବେ, ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପାଟଣାଗଡ଼ରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନିଆଯାଇଥିଲା। ‌ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଚାଷୀ ଯୁଧିଷ୍ଠିରଙ୍କ ମୃତ୍ୟୁ ଘଟିଥିଲା। ତେବେ ଯୁଧିଷ୍ଠିର ଗାଁର ତେଜରାଜ ମାଝୀ ଓ ଗଙ୍ଗାରାମ ମାଝୀ ଦୁଇ ଜଣଙ୍କ ଜମିରେ ଧାନ ଚାଷ କରୁଥିଲେ। ସେହି ଜମିରେ ପଲ୍‌ହା ପକାଇବା ପରେ ଚାଷ ଆଉ ଆଗେଇନଥିଲା। ଯେତେ ଟଙ୍କା ଖର୍ଚ୍ଚ କରିଥିଲେ ତାହା ସେ ଧାର କରଜ କରିଥିବା ପରିବାରବର୍ଗ କହୁଛନ୍ତି।

ଏପଟେ ଚାଷୀ ଆତ୍ମହତ୍ୟା ଅଭିଯୋଗ ପରେ ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ଡା. ପୁଷ୍ପାଞ୍ଜଳି ପଣ୍ଡା, ରାଜସ୍ୱ ବିଭାଗର ଅଧିକାରୀ ଓ ପୁଲିସ ବିଭାଗର ଅଧିକାରୀ ଗ୍ରାଉଣ୍ଡ ଜିରୋକୁ ପହଞ୍ଚି ତଦନ୍ତ କରିଛନ୍ତି। ପରିବାରବର୍ଗଙ୍କ ସହ ମଧ୍ୟ ଆଲୋଚନା କରି ଫେରିଛନ୍ତି।

The post ବଲାଙ୍ଗୀରରେ ପୁଣି ଚାଷୀ ଆତ୍ମହତ୍ୟା! first appeared on Sambad.

from ଜିଲ୍ଲା | Sambad https://ift.tt/3nmw3N9