ଯାଜପୁର ସଦର: ଆଜି ପବିତ୍ର ସୁନିଆଁ ଅବସରରେ ମା” ବିରଜା ଦେବୀଙ୍କ ବନଯାଗ ପର୍ବ ପାଳିତ ହୋଇଛି। ଯଥାରୀତି ଯଜ୍ଞ ମଣ୍ଡପରେ ବନଯାଗ ବିଧି କର୍ମ ଆରମ୍ଭ କରାଯାଇଥିଲା। ପୁରୋଧାଙ୍କ ଦ୍ୱାରା ସେବାୟତମାନଙ୍କୁ ମଙ୍ଗଳାର୍ପଣ କରାଯାଇଥିଲା। ଧର୍ମାଧିକାରୀ ହିମାଂଶୁ ଶେଖର ପତିମିଶ୍ର, ପଣ୍ଡିତ ଡ. ଜ୍ଞାନରଞ୍ଜନ ପତି, ବିରଜା କିଙ୍କର ପତି, ସରୋଜ ପତି, ପ୍ରତାପ କୁମାର ପତି, ବିରଜା ଶଙ୍କର ପତି, ପ୍ରମୋଦ କୁମାର ପତି ଓ ପୂଜକ ବିଭୂତି ଭୂଷଣ କର ବିଧିମଣ୍ଡପରେ ବନଯାଗ ଯାତ୍ରା ପାଇଁ ପୂଜା କରିଥିଲେ। ପରେ ବନଯାଗ ଯାତ୍ରା ଆରମ୍ଭ ହୋଇଥିଲା।

ଆର୍ଶା ପାଳିଆ ସୀତାକାନ୍ତ ପାଣି, ଚରୁ ପାଳିଆ ଦେବୀ ପ୍ରସାଦ ପାଣି, ସମିଧ ପାଳିଆ ସୁବାସ ଚନ୍ଦ୍ର ପାଣି, ନାହକ ଗୋବିନ୍ଦ ମହାରଣା, ବାରିକ ଭାଗବତ ପ୍ରସାଦ ବାରିକଙ୍କ ସମେତ ସମସ୍ତ ସେବାୟତ ଉପସ୍ଥିତ ରହି ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ। ବିଶ୍ୱକର୍ମା ଭାବେ ନିମାଇଁ ମହାରଣା ରଥ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି। ପୂଜା କାର୍ଯ୍ୟ ପରେ ମନ୍ଦିରର ମୁଖ୍ୟ ପରିଚାଳକ ତଥା ଉପଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ରଙ୍କ ତରଫରୁ ସହକାରୀ ଜିଲ୍ଲାପାଳ ଶାଶ୍ବତ ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତ ପୁରୋଧା, ପୂଜକ ଶ୍ରୀ ଅଙ୍ଗଲାଗି ସେବାୟତ ଓ ଅନ୍ୟ ସମସ୍ତ ସେବାୟତ ପୂର୍ବ ନିର୍ଦ୍ଧାରିତ ବନଯାଗ ଯାତ୍ରାରେ ବାହାରିଥିଲେ। ମନ୍ଦିରର ବାରିକ ସେବାୟତଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଶିରିଆପୁର ଗ୍ରାମର ବିଶ୍ବନାଥ ମିଶ୍ରଙ୍କ ବାଡ଼ିରେ ଥିବା ଅଫଳନ୍ତି ଓ ଅକ୍ଷୁଣ୍ଣ (ବିଲ୍ୱ ବୃକ୍ଷ) ବେଲ ଗଛକୁ ପୂଜାର୍ଚ୍ଚନା କରାଯାଇ ଛେଦନ କରାଯାଇଥିଲା।

The post ମା’ ବିରଜାଙ୍କ ବନଯାଗ ପର୍ବ ପାଳିତ, ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ first appeared on Sambad.

from ଜିଲ୍ଲା | Sambad https://ift.tt/3tWSCsP