ରାଉରକେଲା: କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକିଠାରେ ଥିବା ସାଇଭ୍ୟାଲି ୱାର୍ଲ‌୍ଡ ସ୍କୁଲର ଛାତ୍ରାବାସରେ ଆଜି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଛୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ସିଦ୍ଧାର୍ଥ କୁମାର ଟୁଡ଼ୁ(୧୬)। ନିଜ ହଷ୍ଟେଲ୍‌ର ବାଲକୋନୀର ଛାତରେ ବେକରେ ବେଡ୍‌ସିଟ ଲଗାଇଥିବା ଅବସ୍ଥାରେ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କର ଆଜି ବ୍ୟବଚ୍ଛେଦ କରାଯାଇଥିବାବେଳେ ଶବ ଇସ୍ପାତ ମର୍ଗ ହାଉସ୍‌ରେ ରହିଛି। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତେବେ ସିଦ୍ଧାର୍ଥଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏହା କୌଣସି ପରିସ୍ଥିତିରେ ଆତ୍ମହତ୍ୟା ନୁହେଁବୋଲି କହିବାସହ ସ୍କୁଲ କର୍ତୃପକ୍ଷଙ୍କ କାର୍ଯ୍ୟକଳାପ ସନ୍ଦେହଜାତ ହେଉଥିବା ଅଭିଯୋଗ ଆଣିଛନ୍ତି ।

ଆର୍‌ଏସ୍‌ପି କର୍ମଚାରୀ ଲକ୍ଷ୍ମଣ ଟୁଡ଼ୁ ବେଦବ୍ୟାସ ସ୍ଥିତ ଏକ ଫ୍ଲାଟ୍‌ରେ ପତ୍ନୀ ସୀମା ଦେବୀ, ପୁଅ ସିଦ୍ଧାର୍ଥ(୧୬) ଓ ଝିଅ ସହ ରୁହନ୍ତି। ସିଦ୍ଧାର୍ଥ ସାଇଭ୍ୟାଲି ୱାର୍ଲ‌୍ଡ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଥିବାବେଳେ ଛାତ୍ରାବାସରେ ରହି ପାଠ ପଢ଼ୁଥିଲେ। ସ୍ବଭାବରେ ଭଦ୍ର, ମେଳାପୀ ଥିଲେ ସିଦ୍ଧାର୍ଥ। ଆଜି ସକାଳ ପ୍ରାୟ ୭ଟାରେ ଶ୍ରୀ ଟୁଡ଼ୁଙ୍କ ପାଖକୁ ସ୍କୁଲ କର୍ତୃପକ୍ଷ ଫୋନ ମାଧ୍ୟ‌ମରେ ପୁଅ ଅସୁସ୍ଥ ଥିବା ସୂଚନା ଥିଲେ। ଯଥାଶୀଘ୍ର ଆସିବାକୁ କହିବାରୁ ଶ୍ରୀ ଟୁଡ଼ୁ ହଷ୍ଟେଲ ପରିସରରେ ପହଞ୍ଚିଥିଲେ। ପହଞ୍ଚିବାପରେ ତାଙ୍କୁ ସିଦ୍ଧାର୍ଥ ଆତ୍ମହତ୍ୟା କରିଥିବା ସୂଚନା ଦେଇଥିଲେ। ଏହାକୁ କିନ୍ତୁ ବିଶ୍ବାସ କରିପାରିନଥିଲେ ଶ୍ରୀ ଟୁଡ଼ୁ। ପୁଅକୁ ଦେଖିବାକୁ ନେହୁରା ହୋଇଥିଲେ ମଧ୍ୟ ତାଙ୍କୁ ଅନୁମତି ଦିଆଯାଇନଥିଲା। ଦୀର୍ଘ ସମୟପରେ ପୁଲିସ ଓ ସାଇଣ୍ଟିଫିକ୍‌ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦିନ ପ୍ରାୟ ୨ଟାରେ ଶବ ଉଦ୍ଧାର କରାଯାଇଥିଲା। ପରିବାରବର୍ଗଙ୍କ କହିବାଅନୁସାରେ, ଆଜି ଭୋର୍‌ରେ ସିଦ୍ଧାର୍ଥଙ୍କର ଝୁଲନ୍ତା ମୃତ ଦେହ ତାଭ୍କର ରୁମ୍‌ମେଟ୍‌ ଦେଖିବାକୁ ମିଳିଥିଲା। ସମଗ୍ର ଘଟଣାରେ ସ୍କୁଲ କର୍ତୃପକ୍ଷଙ୍କ ଭୂମିକା ସନ୍ଦେହଜନକ। ପ୍ରାଥମିକ ତଦନ୍ତ ବିନା ସ୍କୁଲ କର୍ତୃପକ୍ଷ ସିଧାସଳଖ ଆତ୍ମହତ୍ୟା କରିଥିବା କହିଥିଲେ। ଘଟଣା ନେଇ ଢ଼େର୍‌ ବିଳମ୍ବରେ ସୂଚନା ଦିଆଯିବା ସହ ଯେଭଳି ଢ଼ଙ୍ଗରେ ସହ‌ଯୋଗ କରାଯିବା କଥା କରାଯାଇନଥିଲା। ଯଦି ସକାଳୁ ଝୁଲନ୍ତା ମୃତ ଦେହ ଠାବ କରାଯାଇଥିଲା, ତେବେ ବିଳମ୍ବରେ ସୂଚନା ଦିଆଯାଇଥିଲା କାହିଁକି? ପ୍ରଥମେ ପୁଅକୁ ଦେଖିବାକୁ ଅନୁମତି ନ ଦେଇ ମୃତ ଦେହଠାରୁ କାହିଁକି ଦୂରେଇ ରଖାଗଲା? ଏତେ ବିଳମ୍ବରେ ଶବ ଉଦ୍ଧାର କରାଯିବାର କାରଣ କ’ଣ? ବୋଲି ପ୍ରଶ୍ନ କରିଛନ୍ତି। ଏହି ଘଟଣା ପଛରେ ପୁଲିସର କାର୍ଯ୍ୟକଳାପ ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ପୁଲିସ ବହୁ ବିଳମ୍ବରେ ପହଞ୍ଚିବା ପଛରେ ଭିନ୍ନ କାରଣ ଲୁଚି ରହିଥିବା ଅଭିଯୋଗ ଆଣିଛନ୍ତି। ପ୍ରକାଶଥାଉକି, ସ୍କୁଲ ପରିସରରେ ଚାରିଆଡ଼େ ସିସିଟିଭି କ୍ୟାମେରା ଲାଗିଥିବାବେଳେ ଜଣେ ଛାତ୍ର ଏଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ସିସିଟିଭି ଦାୟିତ୍ବରେ ଥିବା କର୍ମଚାରୀଙ୍କ ଦୃଷ୍ଟି ନ ପଡ଼ିବା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏତଦ୍‌ବ୍ୟତୀତ ହଷ୍ଟେଲ ସୁପରିଟେଣ୍ଡେଣ୍ଟ୍‌, ସ୍କୁଲ ପରିଚାଳନା କମିଟି ସଦସ୍ୟ ପରିବାରବର୍ଗଙ୍କଠାରୁ ରହସ୍ୟମୟ ଦୂରତା ଅବଲମ୍ବନ କରିବାର ପ୍ରୟାସ ମଧ୍ୟ ଭ୍ରୁକୁଞ୍ଚନ ସୃଷ୍ଟି କରେ। ଅପରପକ୍ଷରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସମଗ୍ର ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲାପରେ ପ୍ରକୃତ ଘଟଣା ପଦାକୁ ଆସିବ। ତେବେ ପୁଲିସ ପ୍ରକୃତ ତଦନ୍ତ କରିବା ନା ସାଇଭ୍ୟାଲି ୱାର୍ଲ‌୍ଡ ସ୍କୁଲ କର୍ତୃପକ୍ଷଙ୍କୁ ଦୋଷମୁକ୍ତ କରିବାର ପ୍ରୟାସ କରିବ; ତାହା ସମୟ କହିବ। କିନ୍ତୁ ସ୍କୁଲ କର୍ତୃପକ୍ଷଙ୍କ ଅବହେଳା, ଅପରାଗତା ସମେତ କେବଳ ଛାତ୍ରଛାତ୍ରୀଙ୍କୁ ଛାତ୍ରାବାସରେ ରହିବାକୁ ବାଧ୍ୟ କରି ଅର୍ଥ ରୋଜଗାରରେ ମାତିଥିବା; ଜଣେ ଛାତ୍ରଙ୍କ ଅକାଳ ବିୟୋଗରୁ ସ୍ପଷ୍ଟ ଅନୁମେୟ।

The post ସାଇଭ୍ୟାଲି ସ୍କୁଲରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତ୍ୟୁ ପଛରେ ରହସ୍ୟ ଅଭିଯୋଗ ଆଣିଲେ ପରିବାର first appeared on Sambad.

from ଜିଲ୍ଲା | Sambad https://ift.tt/39OgMwd