
ରାୟଗଡ଼ା : ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନସ୍। ଖଟିଆରେ ବୁହା ହୋଇ ମେଡ଼ିକାଲ ଯାଉଥିବା ବେଳେ ରାସ୍ତାରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଗର୍ଭବତୀ। ବର୍ଷା ଯୋଗୁ ନବଜାତକ ଓ ପ୍ରସୂତିକୁ ମେଡ଼ିକାଲ୍ ଆଣିବା ସମ୍ଭବ ନଥିବା ଯୋଗୁ ଘରକୁ ନେଇ ଯାଇଛନ୍ତି ଗ୍ରାମବାସୀ। ଜନନୀ ଯନ୍ତ୍ରଣାର ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରପୁର ବ୍ଲକ୍ ହନୁମନ୍ତପୁର ପଞ୍ଚାୟତ ମହାପଙ୍ଗା ଗାଁରେ ।
ମହାପଙ୍ଗା ଗାଁର ମହେନ୍ଦ୍ର ଜାଗରଙ୍ଗାଙ୍କ ସ୍ତ୍ରୀ ସଲମି ଜାଗରଙ୍ଗା ଆଜି ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ଗାଁକୁ ନିତିଦିନିଆ ରାସ୍ତା ନଥିବା ବେଳେ ବର୍ଷା ଯୋଗୁ ରାସ୍ତା ଅବସ୍ଥା ଅତ୍ୟନ୍ତ କଦର୍ୟ୍ୟ ଯୋଗୁ ଆମ୍ବୁଲାନସ୍ ପହଞ୍ଚିବା ବିଳମ୍ବ ହେବା ଜାଣି ଖଟିଆରେ ସଲମିଙ୍କୁ ବୋହି ନେଇଥିଲେ ଗ୍ରାମବାସୀ। ମହାପଙ୍ଗା ଗାଁରୁ ୨୦ କିମି ଦୂରରେ ଗୁଡ଼ାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଥିବାରୁ ମହେନ୍ଦ୍ର ସ୍ତ୍ରୀ ସଲମିକୁ ନେଇ ଜଙ୍ଗଲ ରାସ୍ତାରେ ଯାଉଥିଲେ। ଅଧା ରାସ୍ତାରେ ହିଁ ପ୍ରସବ ବେଦନା ସହ୍ୟ ନ କରିପାରି ସଲମି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ହୋଇଥିବା କନ୍ୟା ସନ୍ତାନ ଓ ମାଆ ଉଭୟ ସୁରକ୍ଷିତ ଥିବାରୁ ବର୍ଷାରେ ମେଡ଼ିକାଲ୍ ନେବା ପରିର୍ବତ୍ତେ ନିଜ ଘରକୁ ନେଇ ଯାଇଥିଲେ ମହେନ୍ଦ୍ର। ଚନ୍ଦ୍ରପୁର-ଗୁଡ଼ାରି ସୀମାନ୍ତରେ ଥିବା ମହାପଙ୍ଗା ଗାଁକୁ ରାସ୍ତାନଥିବାରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ ରାସ୍ତା ନିର୍ମାଣ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
The post ଚନ୍ଦ୍ରପୁରରେ ଜନନୀ ଯନ୍ତ୍ରଣା, ଗାଁକୁ ଗଲାନି ଆମ୍ବୁଲାନସ, ଖଟିଆରେ ଆସୁଥିବା ବେଳେ ରାସ୍ତାରେ ପ୍ରସବ first appeared on Sambad.from ଜିଲ୍ଲା | Sambad https://ift.tt/3CQWlLU
0 Comments