ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡିମିରିଆ ଗ୍ରାମରେ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ଅଧିକ ଯୌତୁକ ଦାବିରେ ମାଡ଼ମାରି ବିଷ ପିଆଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ନବବଧୂ ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଅଭିଯୋଗରୁ ଜଣାଯାଇଛି ଯେ ହାବଳେଶ୍ୱର ଗ୍ରାମର କୈଳାଶ ନାୟକଙ୍କ ଝିଅ ସତ୍ୟଭାମାକୁ ଡିମିରିଆ ଗ୍ରାମର ଭିକାରି ମଲ୍ଲିକଙ୍କ ପୁଅ ଉପେନ୍ଦ୍ର ମଲ୍ଲିକଙ୍କ ସହିତ ବିବାହ ଦେଇଥିଲେ । ୨୦୧୯ମସିହା ଏପ୍ରିଲ ୨୪ ତାରିଖରେ ନିକଟସ୍ଥ ଶ୍ରୀମନ୍ତପୁର ମନ୍ଦିରରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା। ସେତେବେଳେ ବରପକ୍ଷର ଦାବି ମୁତାବକ ଯୌତୁକ ସହିତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ମାତ୍ର ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବିରେ ଶାଶୂଘର ଲୋକେ ସତ୍ୟଭାମାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ ।

ଏନେଇ ପୂର୍ବରୁ ଭଦ୍ରକବ୍ୟକ୍ତିଙ୍କ ଉପସ୍ଥିତିରେ ସମାଧାନ ମଧ୍ୟ କରାଯାଇଥିଲା । କିନ୍ତୁ ଗତକାଲି ହଠାତ କୈଳାଶଙ୍କ ପରିବାର ଲୋକେ ଝିଅର ଅବସ୍ଥା ଗୁରୁତର ବୋଲି ଶୁଣିବାପରେ ଝିଅ ଘରକୁ ଆସି ତୁରନ୍ତ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସତ୍ୟଭାମାର ମା ଅନୁସୟା ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଝିଅକୁ ତାର ସ୍ୱାମୀ ଉପେନ୍ଦ୍ର ମଲ୍ଲିକ, ଶାଶୂ ଜାନକୀ ମଲ୍ଲିକ ଓ ଶ୍ୱଶୁର ଭିକାରି ମଲ୍ଲିକ ପ୍ରମୁଖ ମିଶି ମାଡ଼ ମାରିବା ସହିତ ଜୀବନରେ ମାରିଦେବାକୁ ଉଦ୍ୟମକରି ଯୋର ଜବରଦସ୍ତ ବିଷ ପିଆଇ ଦେଇଥିବା ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗପରେ ନନ୍ଦିପଦା ପୁଲିସ ଥାନା କେସନଂ ୧୨୯/୨୧ଦଫା ୪୯୮ଏ, ୩୨୩, ୩୦୭, ଯୌତୁକ ନିର୍ଯ୍ୟାତନା ଧାରା ୪, ୩୪ ଆଇପିସିରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

The post ଯୌତୁକ ଦାବିରେ ନବବଧୂକୁ ମାଡ଼ମାରି ବିଷ ପିଆଇଲେ! first appeared on Sambad.

from ଜିଲ୍ଲା | Sambad https://ift.tt/3jLmtRw