
ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ନଳପାଙ୍ଗା ଗ୍ରାମର ମହାନ୍ତ ଓ ଜୁଆଙ୍ଗଙ୍କ ମଧ୍ୟରେ ଥିବା ଜମି ବିବାଦର ସମାଧାନ ଦାବିରେ ଓଡ଼ିଶା କୁଡୁମି ସମାଜ ପକ୍ଷରୁ ଗତକାଲି ତହସିଲ କାର୍ଯ୍ୟାଳୟରେ ତାଲା ପକାଯାଇଥିଲା। ପ୍ରଶାସନ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେବା ପରେ ଗୁରୁବାର ସକାଳେ ତହସିଲ କାର୍ଯ୍ୟାଳୟରୁ ତାଲା ଖୋଲାଯାଇଥିଲା।
ସୂଚନାଯୋଗ୍ୟ ଏହି ଜମି ବିବାଦର ସମାଧାନ ପାଇଁ ଗତ ୯ ଦିନ ହେଲା ଓଡ଼ିଶା କୁଡ଼ୁମି ସମାଜ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଗୁରୁବାର ଦିନ କେନ୍ଦୁଝର ଦରବାର ହଲ ଠାରେ ପ୍ରଶାସନିକ ଅଧିକାରୀ,ଓଡ଼ିଶା କୁଡୁମି ସମାଜର ପ୍ରତିନିଧି ଓ ନଳପାଙ୍ଗା ଗ୍ରାମର ମହାନ୍ତ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ନେଇ ଉଭୟ ସମ୍ପ୍ରଦାୟର ଜମି ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା। ଆଗାମୀ ୭ ଦିନ ମଧ୍ୟରେ ବିବାଦୀୟ ସ୍ଥାନରେ ୧୪୪ ଧାରା ଜାରି କରାଯିବା, ମହାନ୍ତ ସମ୍ପ୍ରଦାୟର ୭୨ ଏକର ଜମି ଆସନ୍ତା ଡିସେମ୍ବର ମାସ ମଧ୍ୟରେ ଦଖଲ ଦିଆଯିବ , ମହାନ୍ତ ସମ୍ପ୍ରଦାୟର ଲୋକମାନେ ୬ ବର୍ଷ ହେଲା ଚାଷ କରିପାରୁ ନଥିବାରୁ ଖାଦ୍ୟ ସୁରକ୍ଷାରେ ସାମିଲ କରିବା, ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବା ଆଦି ସମ୍ବନ୍ଧରେ ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା କୁଡ଼ୁମି ସମାଜର ଆବାହକ ଡାକ୍ତର ମହାନ୍ତ ସୂଚନା ଦେଇଛନ୍ତି।
ଡିସେମ୍ବର ମାସ ସୁଦ୍ଧା ମହାନ୍ତ ଲୋକଙ୍କ ଜମି ବିବାଦ ସମାଧାନ ନହେଲେ ସାହିରେ ଥିବା ୩୩ଟି ମହାନ୍ତ ପରିବାର ଆତ୍ମହୁତି ଦେବେ ବୋଲି ଚେତାବନୀ ଦିଆଯାଇଥିବା ଆବାହକ ଶ୍ରୀ ମହାନ୍ତ କହିଛନ୍ତି। ଉକ୍ତ ଆଲୋଚନାରେ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ , ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୋ , ଘଟଗାଁ ଏସଡିପିଓ ଅସିତ ରଂଜନ ମହାନ୍ତି , ହରିଚନ୍ଦନପୁର ତହସିଲଦାର ପ୍ରଶାନ୍ତ କୁମାର ସେଠୀ , ଓଡ଼ିଶା କୁଡ଼ୁମି ସମାଜର ସମ୍ପାଦକ ଶରତ ଚନ୍ଦ୍ର ମହାନ୍ତ , ଆବାହକ ଶ୍ରୀ ମହାନ୍ତ , ସାଧାରଣ ସମ୍ପାଦକ ଧନୁର୍ଜୟ ମହାନ୍ତ , ଲକ୍ଷ୍ମୀଧର ମହାନ୍ତ , କମଳ ଲୋଚନ ମହାନ୍ତ , ଡମ୍ବରୁଧର ମହାନ୍ତ , ସୁମିତ୍ରା ମହାନ୍ତ , ଗୋଲଖ ମହାନ୍ତ , ବଳରାମ ମହାନ୍ତ ,ପ୍ରହଲ୍ଲାଦ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
The post ତହସିଲ କାର୍ଯ୍ୟାଳୟର ତାଲା ଖୋଲିଲା, ଜମି ବିବାଦର ସମାଧାନ ପାଇଁ ପ୍ରଶାସନର ପ୍ରତିଶ୍ରୁତି first appeared on Sambad.from ଜିଲ୍ଲା | Sambad https://ift.tt/3E1yTNe
0 Comments