ପୁରୀ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଧାନକେରା ପଞ୍ଚାୟତ ନାଗଣ ଗାଁ ଦେଇ ବହି ଯାଇଥିବା ଲୁଣା ନଈର ଉଛୁଳା ଜଳରେ ବୁଡ଼ି ଶୁକ୍ରବାର ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇଜଣ ହେଲେ ନାଗଣ ଗାଁର ସଦାଶିବ ପ୍ରଧାନଙ୍କ ଦୁଇ ପୁଅ ଶୁଭଜିତ(୩) ଓ ସତ୍ୟଜିତ(୭)। ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ଭୁବନେଶ୍ବର କ୍ୟାପିଟାଲ୍‌ ଡାକ୍ତରଖାନାରେ ଦୁଇଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ମୃତ ଦୁଇ ନାବାଳକଙ୍କ ବାପା ସଦାଶିବ ସୁରଟରେ କାମ କରନ୍ତି। ଘରେ ସ୍ତ୍ରୀ, ଦୁଇ ପୁଅ ଓ ଅନ୍ୟ ପରିବାର ସଦସ୍ୟ ରୁହନ୍ତି। ଆଜି ବିଶ୍ବକର୍ମା ପୂଜା ଥିବାରୁ ଗାଁରେ ପୂଜା ଚାଲିଥିଲା। ସଦାଶିବଙ୍କ ସ୍ତ୍ରୀ ରୋଷେଇ ଘରେ ରୋଷେଇ କରୁଥିବାବେଳେ ଗାଁ ଲୋକଙ୍କ ସହ ଦୁଇ ପୁଅ ଭୋଗ ଖାଇବାକୁ ଗାଁ ଛକକୁ ଯାଇଥିଲେ। ଭୋଗ ଖାଇ ସମସ୍ତେ ଗାଁ ନିକଟରେ ଲୁଣା ନଈରେ ଥିବା ତୁଠରେ ହାତ ଧୋଇ ଘ‌ରକୁ ଫେରିଥିଲେ। ସମସ୍ତଙ୍କ ଭଳି ସତ୍ୟଜିତ ଓ ଶୁଭଜିତ ବି ହାତ ଧୋଇବାକୁ ଯାଇଥିଲେ। ଗାଁ ଲୋ‌କେ ଘରକୁ ଫେରି ଆସିଥିଲେ ବି ଦୁଇଜଣ ସେଠାରେ ଖେଳୁଥିଲେ। ପରେ ଦୁଇଜଣଙ୍କ ଖୋଜ ଖବର ମିଳିନଥିଲା। ବହୁ ଖୋଜାଖୋଜି ପରେ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଦୁଇଜଣଙ୍କୁ ଗାଧୁଆ ତୁଠରୁ କିଛି ଦୂରରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଦୁଇଜଣ ଶିଶୁଙ୍କୁ ପ୍ରଥମେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ବର ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ।

The post ଲୁଣା ନଈରେ ବୁଡ଼ିଗଲେ ଦୁଇ ଭାଇ first appeared on Sambad.

from ଜିଲ୍ଲା | Sambad https://ift.tt/3kfBSK5