ରାଉରକେଲା: ବର୍ଷେ ହେଲା ଯେଉଁ ଡର ଲାଗିରହିଥିଲା, ତାହା ହିଁ ଘଟିଲା। ଗତବର୍ଷ ଭଳି ଏଥର ମଧ୍ୟ ରାଉରକେଲାସ୍ଥିତ ଶିକ୍ଷକ ଓ ଶିକ୍ଷା ମହାବିଦ୍ୟାଳୟରେ ନାମଲେଖା ବନ୍ଦ ହୋଇଯାଇଛି। କ୍ରମାଗତଭାବେ ଦୁଇ ବର୍ଷ ହେଲା ନାମଲେଖାରୁ ବଞ୍ଚିତ ପ୍ରାୟ ଚାରି ଦଶନ୍ଧି ପୁରୁଣା ଏହି ଅନୁଷ୍ଠାନର ଭବିଷ୍ୟତ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଶିକ୍ଷକ ପଦବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଅନୁଷ୍ଠାନର ଭବି‌ଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଆବଶ୍ୟକ ଶିକ୍ଷକ ନିଯୁକ୍ତି ନେଇ ବାରମ୍ବାର ନିର୍ଦ୍ଦେଶ ଦେବାସତ୍ତ୍ବେ ଏହି ଅନିବାର୍ଯ୍ୟ ମାନଦଣ୍ଡ ପୂରଣ କରାନଯିବାରୁ ଏଭଳି ଚରମ ପଦକ୍ଷେପ ନେଇଛି ନ୍ୟାସନାଲ କାଉନସିଲ ଅଫ୍‌ ଟିଚର ଏଜୁକେଶନ୍‌(ଏନ୍‌ସିଟିଇ)।

ସ୍ଥାନୀୟ ଅଞ୍ଚଳରେ ଶିକ୍ଷକ ସୃଷ୍ଟି ଉଦ୍ଦେଶ୍ୟରେ ୧୯୮୧ମ ସିହାରେ ପ୍ରତିଷ୍ଠା କରାଯାଇଥିଲା ଏହି ଅନୁଷ୍ଠାନ। ଅନୁଷ୍ଠାନର ଉଭୟ ପ୍ରଥମ ଓ ଦ୍ବିତୀୟ ଛାତ୍ରଛାତ୍ରୀ ସଂଖ୍ୟା ହେଉଛି ୨ ଶହ। ଏନ୍‌ସିଟିଇ ନିୟମାବଳୀ ଅନୁସାରେ, ଅନୁଷ୍ଠାନରେ ୧୭ ଜଣ ଅଧ୍ୟାପକ, ରିଡର୍‌ ରହିବା କଥା। ଏହାସହ ଜଣେ ସ୍ଥାୟୀ ଅଧ୍ୟକ୍ଷ ମଧ୍ୟ ନିଯୁକ୍ତ ହେବେ। କିନ୍ତୁ ଏଠାରେ ଏବେ ଜଣେ ହେଲେ ସ୍ଥାୟୀ ଶିକ୍ଷକ ନାହାନ୍ତି। ଅବସର ଗ୍ରହଣ କରିସାରିଥିବା ଜଣେ ଅଧ୍ୟାପିକାଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିବାବେଳେ ଗତ ଜୁନ୍‌ ମାସରୁ ତାଙ୍କର କାର୍ଯ୍ୟ ଅବଧି ସଂପନ୍ନ ହୋଇସାରିଲାଣି। ଏହାପରେ ନିଯୁକ୍ତିକୁ ନବୀକରଣ ବି କରାଯାଇନି। ଅର୍ଥାତ୍‌ ଏବେ ଏହି ଅନୁଷ୍ଠାନରେ ଜଣେ ହେଲେ ସ୍ଥାୟୀ କିମ୍ବା ଅସ୍ଥାୟୀ ଶିକ୍ଷକ ନାହାନ୍ତି।

ଶିକ୍ଷକ ନିଯୁକ୍ତି ନେଇ ଗତ ୨୦୧୩-୧୪ ଶିକ୍ଷା ବର୍ଷରୁ ଏନ୍‌ସିଟିଇ ସମସ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିୟମର କଡ଼ା ପାଳନ ପାଇଁ ଏକାଧିକ ବାର ନିର୍ଦ୍ଦେଶାନାମା ଜାରି କରିଥିଲେ। କିନ୍ତୁ ଖାମଖିଆଲି ନୀତି ଆପଣେଇଥିଲେ ରାଜ୍ୟ ସରକାର। ସ୍ଥାୟୀ ନିଯୁକ୍ତି ବଦଳରେ ଅସ୍ଥାୟୀ ନିଯୁକ୍ତି ସୃଷ୍ଟି କରି କାମଚଳା ନୀତି ଆପଣେଇଥିଲେ। ତେବେ ଗତ ୨୦୧୮ ମସିହାରେ ଏନ୍‌ସିଟିଇ ପକ୍ଷରୁ ଚରମବାଣୀ ଶୁଣାଯାଇଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିନଥିଲା। ଏଣୁ ଗତ ୨୦୨୦-୨୧ ଶିକ୍ଷାବର୍ଷରେ ଅନୁଷ୍ଠାନରେ ନାମଲେଖା ବନ୍ଦ କରିଦିଆଯାଇଥିଲା। ଚଳିତ ବର୍ଷ ଶିକ୍ଷକ ନିଯୁକ୍ତି ହେଲେ ପୁନଃ ଖୋଲିବା ନେଇ ଆଶା ରହିଥିଲା। କିନ୍ତୁ ସରକାରଙ୍କ ପକ୍ଷରୁ ନିଯୁକ୍ତି ସୃଷ୍ଟି କରାନଯିବାରୁ ଏଥର ମଧ୍ୟ ଅନୁଷ୍ଠାନ ନାଁ ଲେଖାରୁ ବଞ୍ଚିତ ହୋଇଛି।

ଗତ ଜୁନ ମାସରୁ ଶିକ୍ଷକ ଓ ଶିକ୍ଷା ମହାବିଦ୍ୟାଳୟ ଉଚ୍ଚ ଶିକ୍ଷା ବିଭାଗ ଅନ୍ତର୍ଭୁକ୍ତ ହୋଇଛି; କିନ୍ତୁ ପୂର୍ବ ସ୍ଥିତିରେ କୌଣସି ସୁଧାର ଆସିନି। ତେବେ ସମାନ ଦୁଃସ୍ଥିତି ଦେଇ ଗତି କରୁଥିବା ରାଜ୍ୟର ଅନ୍ୟ ୮ଟି ବି.ଇଡି କଲେଜ ଓ ବେସରକାରୀ ଅନୁଷ୍ଠାନର ୧ ହଜାର ଛାତ୍ରଛାତ୍ରୀଙ୍କର ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ଏନ୍‌ସିଟିଇ ପକ୍ଷରୁ ସ୍ବତନ୍ତ୍ର ଅନୁମତି ଆଣିଛନ୍ତି। ଏହି ୮ଟି ସରକାରୀ ବି.ଇଡି କଲେଜରେ ୫୦ଟି ଲେଖାଏଁ, ମୋଟ୍‌ ୪ଶହ ଜଣଙ୍କ ନାମ ଲେଖାଯିବାକୁ ଥିବାବେଳେ ଅବଶିଷ୍ଟ ବେସରକାରୀ ଅନୁଷ୍ଠାନରେ ୬ ଶହ ଜଣ ନାଁ ଲେଖାଇବେ। ତେବେ ରାଉରକେଲା ସ୍ଥିତ ଶିକ୍ଷକ ଓ ଶିକ୍ଷା ମହାବିଦ୍ୟାଳୟ ପାଇଁ ଅନ୍ୟୁନ ୫୦ ଜଣଙ୍କ ପାଇଁ ନାଁ ଲେଖା ବ୍ୟବସ୍ଥା କରାଯାଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସ‌ନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

The post ଅନିଶ୍ଚିତତାରେ ବି.ଇଡି କଲେଜର ଭାଗ୍ୟ! ଏଥର ବି ଆଡ୍‌ମିସନ ନୋହିଲା first appeared on Sambad.

from ଜିଲ୍ଲା | Sambad https://ift.tt/3AktCOI