ମାଲକାନଗିରି: ମାଲକାନଗିରି ପୌରପରିଷଦ ଅଧିନରେ ରହିଥିବା ଏମଭି-୨ ଗ୍ରାମବାସୀ ଦୀର୍ଘ ଦିନ ହେଲା ଏଠାରେ ବସବାସ କରିଆସୁଥିଲେ ମଧ୍ୟ ତାଙ୍କୁ ଘରଡିହ ପଟ୍ଟା ପ୍ରଦାନ ନେଇ କୌଣସି ସର୍ଭେ କରାଯାଇ ନାହିଁ। ଅଥଚ ଏମଭି-୨ ନିକଟସ୍ଥ ଅନ୍ୟ ଅଞ୍ଚଳଗୁଡିକରେ ଘରଡିହ ପଟ୍ଟା ପ୍ରଦାନ ନେଇ ସମସ୍ତ ସର୍ଭେ ସରିଥିବା ବେଳେ ଏହି ଅଂଚଳରେ କେବେ ସର୍ଭେ ହେବ ସନେଇ ଅଂଚଳବାସୀ ପ୍ରଶ୍ନ କରିଛନ୍ତି। ଏମଭି-୨ ଗ୍ରାମବାସୀ ବାରମ୍ବାର ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ହୋଇଛି।ବହୁ ଲୋକ ଏଠାରେ ଘରଦ୍ବାର କରି ଦୀର୍ଘ ବର୍ଷ ଧରି ରହୁଥିବା ବେଳେ ପୌର ପରିଷଦ ଅଧିନରେ ରହିଥିବା ଅନ୍ୟ ଅଂଚଳରେ ପଟ୍ଟା ପ୍ରଦାନ ଗତ କିଛି ବର୍ଷ ହେଲା ପ୍ରଦାନ କରାଯାଉଛି।ସେହିପରି ମାଲକାନଗିରି ତହସିଲ ପକ୍ଷରୁ ମଧ୍ୟ ପଟ୍ଟା ବଣ୍ଟନ କାର୍ୟ୍ୟକ୍ରମ ଚାଲୁ ରହିଛି।

ତେବେ ଏମଭି-୨ ଅଂଚଳକୁ ନା ସର୍ଭେ କରାଯାଉଛି ନା କୌଣସି ଅଧିକାରୀ ଏନେଇ ଅଭିଯୋଗ ଗ୍ରହଣ କରୁଛନ୍ତି।ତେବେ ତୁରନ୍ତ ସର୍ଭେ କରାଯାଇ ପଟ୍ଟା ପ୍ରଦାନ କରିବା ନେଇ ଦାବି କରାଯାଇଛି।ପଟ୍ଟା ନଥିବାରୁ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ବା ଇନ୍ଦିରାଗାନ୍ଧୀ ଆବାସ ଯୋଜନା ହେଉ କୌଣସି ଗୋଟିଏ ବି ସୁବିଧା ପାଇପାରୁନଥିବା ଅଭିଯୋଗ କରିଥିଲେ।ସେହିପରି ପଟ୍ଟା ନଥିବାରୁ ପିଲାମାନଙ୍କର ନାମ ଲେଖାଇବାରେ ଏବଂ ଜାତିଗତ ପ୍ରମାଣ ପତ୍ର ମିଳିବାରେ ମଧ୍ୟ ଅସୁବିଧା ପରିଲକ୍ଷିତ ହେଉଥିବା କୁହାଯାଇଛି।ଆଜି ଏମଭି-୨ସ୍ଥିତ ୧୬ ନମ୍ବର ଵାର୍ଡର ଲୋକେ ଏକତ୍ରୀତ ହୋଇ ଜିଲ୍ଲାପାଳଙ୍କୁ ଭେଟି ପୁଣି ଦାବି କରିବେ ବୋଲି ପ୍ରକାଶ କରିଛନ୍ତି।ଏଥିସହ ଯଦି ତୁରନ୍ତ ସେମାନଙ୍କୁ ଘରଡିହ ପଟ୍ଟା ନମିଳେ ତେବେ ଆଗାମୀ ଦିନରେ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ଆନ୍ଦୋଳୋନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

The post ଘରଡିହ ପଟ୍ଟା ପ୍ରଦାନ ଲାଗି ଏମଭି-୨ ଗ୍ରାମବାସୀଙ୍କ ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/3yWEelm