
ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଦୀର୍ଘମାସ ଧରି ୧୦୮ ଆମ୍ବୁଲାନ୍ସ ପଡ଼ି ରହି ଖତ ଖାଉଛି। ଏହି ଅଞ୍ଚଳବାସୀ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଏକ ମାତ୍ର ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ତେବେ ବହୁ ଅସମୟରେ ଜରୁରୀ ରୋଗୀଙ୍କୁ ଅନ୍ୟ ମେଡିକାଲ ସ୍ଥାନାନ୍ତର କରିବାକୁ ହେଲେ ଆମ୍ବୁଲାନ୍ସ ସମସ୍ୟା ଲାଗି ରହୁଛି। ଏପଟେ ୧୦୮ ଆମ୍ବୁଲାନ୍ସ ବ୍ୟବହାର ନହୋଇ ପଡ଼ି ରହିଛି। ଆମ୍ବୁଲାନ୍ସ ଚାରିପଟେ ଗଛଲତା ଉଠିବା ସହ ଟାୟାର ନଷ୍ଟ ହୋଇପଡ଼ିଥିଲା ବେଳେ ଗାଡ଼ିରେ ଉଈ ଲାଗି ନଷ୍ଟ ହେବାକୁ ବସିଲାଣି। ଏନେଇ ଅଞ୍ଚଳବାସୀ ବାରମ୍ବାର ମେଡିକାଲ କର୍ତ୍ତୃପକ୍ଷ କିମ୍ବା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଜଣାଇଲେ ମଧ୍ୟ ଆମ୍ବୁଲାନ୍ସ ବ୍ୟବହାର ଦିଗରେ ଦୃଷ୍ଟି ଦେଉ ନାହାଁନ୍ତି।
ଏନେଇ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଲକ୍ଷ୍ମୀନାରାୟଣ ନାୟକଙ୍କୁ ପଚାରି ବୁଝିବାରୁ ପୂର୍ବେ ନାରାୟଣପାଟଣା ଏବଂ ବନ୍ଧୁଗାଁ ପାଇଁ ଏହି ୧୦୮ ଆମ୍ବୁଲାନ୍ସ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବନ୍ଧୁଗାଁକୁ ନୂଆ ୧୦୮ ଆମ୍ବୁଲାନ୍ସ ଆସିବା ପରେ ଏହାର ମରାମତି କରିବା ଆଳରେ ଏଠାରେ ଛାଡ଼ି ଦେଇଥିବା କହିଛନ୍ତି। ଏଥିପ୍ରତି କୋରାପୁଟରେ ଥିବା ୧୦୮ ପରିଚାଳନା ଅଧିକାରୀ କିମ୍ବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।
The post ଖତ ଖାଉଛି ୧୦୮ ଆମ୍ବୁଲାନ୍ସ, ବିଭାଗର ଦୃଷ୍ଟି ନାହିଁ first appeared on Sambad.from ଜିଲ୍ଲା | Sambad https://ift.tt/2VrDK8W
0 Comments