
ଜୟପୁର,୧୧/୦୯(ଇମିସ): ଜୟପୁର ଫିଲ୍ମ କମ୍ପାନୀ ଓ ପଞ୍ଚବଟୀ ସୃଜନାଳୟ ପକ୍ଷରୁ ମିଳିତ ଭାବେ କୋରାପୁଟ ଜିଲ୍ଲାର ପ୍ରଥମ ୱେବ ସିରିଜ୍ “ମାଳିପୁଟ ମେଲୋଡିଜ୍”ର ସୁଟିଂ ଆରମ୍ଭ ହୋଇଛି। ପବିତ୍ର ଶ୍ରୀଗଣେଶ ପୂଜା ଅବସରରେ ଏଥି ପାଇଁ ପୂଜା ଅର୍ଚ୍ଚନା କରାଯାଇଥିଲା।
କୋରାପୁଟ ଜିଲ୍ଲାର ମନୋହର ତଥା ସୁନ୍ଦର ସବୁଜିମାର ଚାଦର ତଳେ ମାଳିପୁଟ ଲୁଚେଇ ରଖିଛି କାହିଁ କେତେଯେ କାହାଣୀ। ଏହି ୱେବ ସିରିଜ ମାଧ୍ୟମରେ ଏଭଳି କିଛି ନିଚ୍ଛକ ଚରିତ୍ରକୁ ଉଜ୍ଜୀବିତ କରିବାର ପ୍ରୟାସ କରାଯାଇଛି। କୋରାପୁଟ ଜିଲ୍ଲାର କୋଣଅନୁକୋଣ ସହ ଜୟପୁର ସହରର ଆଖପାଖ ଅଞ୍ଚଳରେ ଏହାର ଚିତ୍ରୋତ୍ତୋଲନ କରାଯିବ । ୨୦୨୨ର ପ୍ରଥମାର୍ଦ୍ଧରେ AAO NXTରେ ଏହା ମୁକ୍ତିଲାଭ କରିବ।
ଏହି ୱେବସିରିଜର ନିର୍ଦ୍ଦେଶନା ଓ ସଙ୍ଗୀତର ଦାୟିତ୍ୱ ଯଥାକ୍ରମେ ବିଶାଳ ପଟ୍ଟନାୟକ ଓ ତୋଷ ନନ୍ଦ ଦେବେ ବୋଲି ସୂଚନା ମିଳିଛି। ବରିଷ୍ଠ ଅଭିନେତା ସୁଧାକର ପଟ୍ଟନାୟକ,ମହମ୍ମଦ ସାରିଫ,ନୃସିଂହ ଷଡଙ୍ଗୀ,ଜୟନ୍ତ ସାନ୍ତ୍ରା, କେଦାର ବେହେରା, ଅମିତ ଦାସ ଏବଂ କାର୍ତ୍ତିକ ରାଉତ ପ୍ରମୁଖ କାର୍ଯ୍ୟନିର୍ବାହ ଓ ଅଭିନୟରେ ସହଯୋଗ କରିଛନ୍ତି ।
ପ୍ରକାଶ ଥାଉ କି ଜୟପୁର ଫିଲ୍ମ କମ୍ପାନୀ ଓ ପଞ୍ଚବଟୀ ସୃଜନାଳୟର ନିର୍ମିତ “ଚଣ୍ଡାଳ”,”ଶୁଭାରମ୍ଭ” ,”ପେନସନ”, “ମହାନାଟକ” ପ୍ରମୁଖ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହେଇଛି ଏବଂ ଲୋକାଦୃତି ଲାଭ କରିପାରିଛି। ଏହି ଧାରାରେ “ମାଳିପୁଟ ମେଲୋଡିଜ୍” ଓଡ଼ିଆ ୱେବ ସିରିଜ ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ବିଶ୍ୱାସ କରାଯାଉଛି। କୋରାପୁଟ ଜିଲ୍ଲାରୁ ବହୁ କ୍ଷୁଦ୍ର ଚଳଚ୍ଚିତ୍ର, ଆଦିବାସୀ ଚଳଚ୍ଚିତ୍ର, ଆଲବମ୍ ଆଦିର ନିର୍ମାଣ କରାଯାଉଥିଲେ ହେଁ ପ୍ରଥମ କରି ୱେବସିରିଜ୍ ନିର୍ମାଣ କରାଯାଉଛି। ନିଶ୍ଚିତ ରୁପେ ଏହି ଓେବ୍ ସିରିଜ ଜିଲ୍ଲା ଇତିହାସରେ ଏକ ମାଇଲଖୁଣ୍ଟ ହେବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।
The post ଜୟପୁର ଫିଲ୍ମ କମ୍ପାନୀ ଓ ପଞ୍ଚବଟୀ ସୃଜନାଳୟ ପକ୍ଷରୁ କୋରାପୁଟ ଜିଲ୍ଲାର ପ୍ରଥମ ୱେବସିରିଜ “ମାଳିପୁଟ ମେଲୋଡିଜ୍”ର ସୁଟିଂ ଆରମ୍ଭ first appeared on Sambad.from ଜିଲ୍ଲା | Sambad https://ift.tt/3z1UQIs
0 Comments