କୋରେଇ/ପାଣିକୋଇଲି : ପାଣିକୋଇଲି ଥାନା ସୋତି ଗ୍ରାମ ନିକଟରେ ହୋଇଥିବା ଡବଲ ମର୍ଡର ଘଟଣାରେ ପାଣିକୋଇଲି ପୁଲିସ୍‌ ଗତକାଲି ବିଳମ୍ବିତ ରାତିରେ ଭଦ୍ରକରୁ ଆଉ ଜଣେ ଅଭିଯୁକ୍ତକୁ ଉଠାଇଛି। ପୂର୍ବରୁ ୨ ଜଣଙ୍କୁ ଭଦ୍ରକରୁ ଆଣିଥିବା ବେଳେ ଆଜି ଆଉ ଜଣକୁ ସେଠାରୁ ଉଠାଇଛି। ଏଥିରେ ଭଦ୍ରକର ଆହୁରି କେତେଜଣଙ୍କ ସଂପୃକ୍ତି ଥିବା ପୁଲିସ୍‌ ସନ୍ଦେହ କରୁଛି। ୨ କିନ୍ନରଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରିବା ମଧ୍ୟରେ ସେମାନଙ୍କଠାରୁ ପୁଲିସକୁ ବହୁ ସୁରାକ ମିଳିଛି। ମୃତ ବିଜୟଙ୍କ ମୋବାଇଲ ଫୋନରୁ ବହୁ ତଥ୍ୟ ପୁଲିସ୍‌ ହାତରେ ଲାଗିଛି। ହତ୍ୟାକାଣ୍ତ ଦିନ ରାତିରେ ମୃତ ବିଜୟ ସହିତ ଅଟକ ଥିବା ଜନୈକ କିନ୍ନର ୧୬ ସେକେଣ୍ତ କଥା ହୋଇଥିବାର ପୁଲିସ୍‌ ଜାଣିବାକୁ ପାଇଛି। ଏହାକୁ ଆଧାର କରି ହତ୍ୟାକାଣ୍ତର ଚେର ଭଦ୍ରକ ପର୍ଯ୍ୟନ୍ତ ଲମ୍ବିଥିବାର ଜଣାପଡ଼ିଥିଲା।

ବି‌ଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜି ଭୋର ସମୟରୁ ସମସ୍ତ ଅଭିଯୁକ୍ତଙ୍କୁ ନେଇ ହତ୍ୟାକାଣ୍ତ ହୋଇଥିବା ସ୍ଥାନରେ ପୁଲିସ୍‌ ଡେମୋ କରିଥିବା ଜଣାପଡ଼ିଛି। ସେଦିନ ରାତିରେ ମୃତ ବିଜୟ ଓ ମାନସଙ୍କ ସହିତ ସେମାନଙ୍କର କେଉଁ ସ୍ଥାନରେ ଝଗଡ଼ା ହୋଇଥିଲା ଏବଂ ବିଜୟଙ୍କ ବାଇକ୍ କେଉଁଠାରେ ପଡ଼ିଥିଲା,‌ ସେନେଇ ଅଭିଯୁକ୍ତମାନେ ପୁଲିସ୍‌ ନିକଟରେ ବଖାଣିଥିବାର ଜଣାପଡ଼ିଛି। ସେଦିନ ରାତିରେ ମଧ୍ୟ ମୃତକଙ୍କ ସହିତ ଜୁଆଖେଳ ଓ କିଛି ଟଙ୍କାକୁ ନେଇ ମାରପିଟ୍ ହୋଇଥିବା ପୁଲିସ୍‌ ତଦନ୍ତରୁ ଜାଣିପାରିଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା।ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ତ ବୋଲି ପୁଲିସ୍‌ ସନ୍ଦେହ କରୁଛି। ଏନେଇ ଅଧିକ ତଦନ୍ତ କରିବାକୁ ପୁଲିସ୍‌ର ଏକ ଟିମ୍ ଏବେ ମଧ୍ୟ ଭଦ୍ରକରେ ଡେରା ପକାଇଛି। ପୁଲିସ୍‌ ମୁଖ୍ୟ କାର୍ଯ୍ୟାଳୟଠାରୁ ମାତ୍ର କେଇମିଟର ଦୂରରେ ଡବଲ ମର୍ଡର ହୋଇଥିବାରୁ ପୁଲିସ୍‌ ମଧ୍ୟ ଅପରାଧୀଙ୍କୁ ଧରିବାରେ ରାତିଦିନ ଏକ କରିଦେଇଛି।

ଘଟଣା ଅନୁଯାୟୀ, ପାଣିକୋଇଲି ଥାନା ଜହ୍ନା ଗ୍ରାମର ବାବୁଲି ଚନ୍ଦ୍ର ସାହୁଙ୍କ ପୁଅ ବିଜୟ(୨୨) ଓ ସେହି ଗ୍ରାମର ନୀଳମଣି ଦାସଙ୍କ ପୁଅ ମାନସ(୨୭)ଙ୍କୁ ଗତ ସେପ୍ଟେମ୍ବର ୨ ତାରିଖ ରାତିରେ ହତ୍ୟା କରି ପାଣିକୋଇଲି ନିକଟ ସୋତି ଗ୍ରାମରେ ନିର୍ମାଣାଧୀନ ପୋଲ ଉପରେ ପକାଇ ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ସନ୍ଧାନୀ କୁକୁର ସହାୟତାରେ ତଥା ସାଇଣ୍ଟିଫିକ୍ ଟିମ୍ ଯାଇ ଏକାଧିକ ସିସିଟିଭି ଯାଞ୍ଚ କରିଛି। ୨୩୮/୨୧ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ବି ଏଯାଏ ସ୍ପଷ୍ଟ ଚିତ୍ର ଆସିପାରି ନାହିଁ।

The post ପାଣିକୋଇଲି ଡବଲ ମର୍ଡର ଘଟଣା: ଭଦ୍ରକରୁ ଆଉ ଜଣକୁ ଉଠାଇଲା ପୁଲିସ first appeared on Sambad.

from ଜିଲ୍ଲା | Sambad https://ift.tt/38WLdjy