
ରାଉରକେଲା: ବରିଷ୍ଠ ଆଇନଜୀବୀ କାଶୀନାଥ ଆଚାର୍ଯ୍ୟ। ତାଙ୍କ ମରଶରୀର ଅନ୍ତିମ ସଂସ୍କାର ପାଇଁ ବେଦବ୍ୟାସ ଶ୍ମଶାନ ଘାଟରେ ପହଞ୍ଚିଥିଲା। ସାଥୀରେ ଥିଲେ ପରିବାର, ସମ୍ପର୍କୀୟ ଓ ରାଉରକେଲା ଓକିଲ ସଂଘର କର୍ମକର୍ତ୍ତା। ଜୁଇ ଜଳିବାକୁ କାଠ ମିଳିଲାନି। ପ୍ରାୟ ୨/୩ ଘଣ୍ଟା ଧରି ଗାଡିରେ ଶବ ସେମିତି ପଡି ରହିଲା। ସମ୍ପର୍କୀୟ ଲୋକ ଟ୍ରଷ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କୁ କାଠ ସଂକ୍ରାନ୍ତରେ ପଚାରିଥିଲେ। ଟ୍ରଷ୍ଟ ବୋର୍ଡର କର୍ମଚାରୀ ବାହାର କାଠ କିଣିବାକୁ ମୃତ କାଶୀନାଥଙ୍କ ସମ୍ପର୍କୀୟଙ୍କୁ କହିଥିଲେ। ବାଧ୍ୟ ହୋଇ ବେଦବ୍ୟାସ ସ’ ମିଲ୍ରୁ ଜାଳେଣି କାଠ ଆଣିବା ପରେ କାଶୀନାଥଙ୍କ ଜୁଇ ଜଳିଲା। କେବଳ କାଶୀନାଥ ନୁହଁନ୍ତି, ଅନେକ ଶବ ଜାଳିବାକୁ ସମ୍ପର୍କୀୟଙ୍କୁ ଏମିତି ସମସ୍ୟାରେ ସମ୍ମୁଖୀନ ହେବାକୁ ପଡୁଛି।
ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ହେଁ କେହି ଶୁଣୁ ନାହାନ୍ତି। ଶବଙ୍କ ସମ୍ପର୍କୀୟ ଅନେକବାର ଟ୍ରଷ୍ଟବୋର୍ଡ, ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳ କିନ୍ତୁ ଶୂନ୍। ତ୍ରିବେଣୀ ସଙ୍ଗମ ପ୍ରସିଦ୍ଧ ବେଦବ୍ୟାସ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ, ସ୍ମାର୍ଟସିଟି ପାଣ୍ଠିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ବର୍ଷ ବର୍ଷ ଧରି ଶବଗୁଡ଼ିକର ଜୁଇ ଜଳିବାକୁ ଜାଳେଣି କାଠର ଅଭାବ କିପରି ଦୂର ହେବ ବିଭାଗୀୟ ଅଧିକାରୀମାନେ ଥରୁଟିଏ ଚିନ୍ତା କରୁ ନାହାନ୍ତି। ଟ୍ରଷ୍ଟବୋର୍ଡ ସଦସ୍ୟମାନେ ଚୁପ୍ ବସୁଛନ୍ତି। ପ୍ରଶାସନ ପ୍ରତିଶ୍ରୁତି ଦେଇ କାମ ସାରି ଦେଉଛନ୍ତି। ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀଙ୍କୁ ବର୍ଷ ବର୍ଷ ଧରି ଏଭଳି ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି। ଏଭଳି ସମସ୍ୟା ଦୂର କରିବାକୁ ରାଉରକେଲା ଓକିଲ ସଂଘର ସଭାପତି ରମେଶ ବଳଙ୍କ ସମେତ ବୁଦ୍ଧିଜୀବୀ ପକ୍ଷରୁ ଦାବି କରାଯାଇଛି।

ବେଦବ୍ୟାସ ଘାଟର ପୌରାଣିକ ମାନ୍ୟତା ରହିଛି। ୪ଟି ନିର୍ବାଚନମଣ୍ଡଳୀ ଯଥା ରାଉରକେଲା, ରଘୁନାଥପାଲୀ, ବୀରମିତ୍ରପୁର, ରାଜଗାଙ୍ଗପୁର ଜନସାଧାରଣ ଅନ୍ତେଷ୍ଟକ୍ରିୟା ପାଇଁ ବେଦବ୍ୟାସରେ କରିଥାନ୍ତି। ଟ୍ରଷ୍ଟର ଦୂରଦୃଷ୍ଟି ଅଭାବରୁ ସରକାରଙ୍କ ଦ୍ବାରା ଖୋଲାଯାଇଥିବା କାଠ ଗୋଲାରେ ଅଧିକାଂଶ ସମୟରେ କାଠର ଅଭାବ ରହୁଛି। ଜାଳେଣି କାଠ ମିଳୁ ନଥିବାରୁ ମୃତକଙ୍କ ପରିଜନ ଦହଗଞ୍ଜ ହେଉଛନ୍ତି। ଦୂରଦୂରାନ୍ତରୁ ଆସୁଥିବା ମୃତଙ୍କ ସମ୍ପର୍କୀୟ ‘ମହରଗରୁ ଯାଇ କାନ୍ତର’ରେ ପଡୁଛନ୍ତି। ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା ଲାଗୁ କରାଯାଇ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ବୋଲି କହିବା ପ୍ରଚାର ସର୍ବସ୍ବ ହୋଇଛି। ଦୈନିକ ୮/୧୦ଟି ଶବ ପୋଡା ହେବାକୁ ବେଦବ୍ୟାସ ଘାଟକୁ ଆସୁଛି।
ସରକାରୀ ଗୋଲାରେ ଜାଳେଣି କାଠ ମିଳୁ ନଥିବାରୁ ଲୋକେ ଗାଡି ନେଇ ବାହାରୁ ଚଢ଼ା ଦରରେ କାଠ କିଣିବାକୁ ବାଧ୍ୟ ହେଉଛନ୍ତି। ଗତ ୪/୫ ଦିନ ଏଭଳି କାଠ ନଥିବାରୁ ଶବ ଗୁଡ଼ିକ ଜୁଇ ଜଳିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ସେପଟେ ଧର୍ମକୁ ଆଖି ଠାର ମାରିବା ପରି ମୋଟା ମୋଟା କେଇ ଖଣ୍ଡ କାଠ ଗୋଲାରେ ପଡିଛି। ତେଣୁ ଲୋକଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ଆବଶ୍ୟକ ଜାଳେଣି କାଠ ମହଜୁତ ରଖିବାକୁ ଚାରି ନିର୍ବାଚନମଣ୍ଡଳୀବାସିନ୍ଦା ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ଓ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଜାତୀୟ ହେରିଟେଜ ପାଇଁ କୋଟି କୋଟି ଟଙ୍କାର ନିର୍ମାଣ ବିକାଶମୂଳକ କାମ ବେଦବ୍ୟାସରେ ଚାଲିଛି। ତେଣୁ ଟ୍ରଷ୍ଟି ଓ ବିଧାୟକମାନେ ପ୍ରଚାର ସର୍ବସ୍ବରେ ନ ରହି କାର୍ଯ୍ୟ ସର୍ବସ୍ବ ରହିଲେ ଲୋକଙ୍କ ସମସ୍ୟା ଦୂର ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
The post ବେଦବ୍ୟାସ ଘାଟରେ କାଠ ଅଭାବ: ଜଳୁନି ଜୁଇ, ଘଣ୍ଟା ଘଣ୍ଟା ପଡୁଛି ଶବ first appeared on Sambad.from ଜିଲ୍ଲା | Sambad https://ift.tt/2Yh176c
0 Comments