
ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକର ଧୁରୁଡ଼ିଆମ୍ବ ପଞ୍ଚାୟତ ଏବେ କଲରା ଚାଷର ପେଣ୍ଠସ୍ଥଳୀ ପାଲଟିଛି। ଏହି ପଞ୍ଚାୟତର ଧୁରୁଡ଼ିଆମ୍ବ, କରଡ଼ାପାଳ, ଜାମୁଁପଶି ଓ ଜମାଦା ଗ୍ରାମର ତିନି ଶହ ମହିଳା ଚାଷୀ ପ୍ରାୟ ୧୦୦ ଏକର ଜମିରେ ଚଳିତ ବର୍ଷ କଲରା ଚାଷ କରିଛନ୍ତି। ଏହି ଚାଷୀମାନେ ମଞ୍ଚା ସାହାଯ୍ୟରେ ଏହି ଚାଷ କରିଛନ୍ତି। ବର୍ତ୍ତମାନ ପ୍ରତିଦିନ ଏହି ୪ ଟି ଗ୍ରାମର ଚାଷୀ ୫୦ ରୁ ୬୦ କୁଇଣ୍ଟାଲ କଲରା ଉତ୍ପାଦନ କରୁଛନ୍ତି। ଏହି କଲରାକୁ ଯାଜପୁର, ଭଦ୍ରକ ଏବଂ ବିହାର ରାଜ୍ୟର ରାଞ୍ଚି ଅଞ୍ଚଳରୁ ବ୍ୟବସାୟୀ ଆସି କିଣୁଛନ୍ତି।

ବର୍ତ୍ତମାନ କଲରା କିଲୋଗ୍ରାମ ପ୍ରତି ୧୦ ରୁ ୧୨ ଟଙ୍କା ରହିଛି। ବ୍ଲକରେ ଥିବା ଉଦ୍ୟୋଗୀ ଉତ୍ପାଦକ କମ୍ପାନି ମାଧ୍ୟମରେଏହି କଲରା ସବୁ ବିକ୍ରି ହେଉଛି। ଯେଉଁଦିନ ବ୍ୟବସାୟୀ କଲରା କିଣିବା ପାଇଁ ଆସନ୍ତି ନାହିଁ, ସେଦିନ ଉତ୍ପାଦନ ହେଉଥିବା କଲରା ସବୁ ଧୁରୁଡ଼ିଆମ୍ବରେ ଥିବା ଶୀତଳ ଭଣ୍ଡାରରେ ରଖାଯାଇଥାଏ। ପ୍ରତି ଚାଷୀ ୮ ରୁ ୧୦ ହଜାର ଟଙ୍କା ଲେଖାଏଁ ଆୟ କରି ସାରିଲେଣି। ଏହି କଲରା ଉତ୍ପାଦନ ଆଉ ଦେଢ଼ମାସ ଚାଲିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଏହି କଲରା ଚାଷ ପାଇଁ ସ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ରିଷ୍ଟି ବୈଷୟିକ ଶିକ୍ଷା ପ୍ରଦାନ କରୁଛନ୍ତି। କିଛି ଚାଷ ବୁନ୍ଦା ଜଳସେଚନ ପ୍ରଣାଳୀରେ ଏହି ଚାଷ କରୁଥିବା ବେଳେ ଅଧିକାଂଶ ଚାଷୀ ଖୋଲା ପଡ଼ିଆରେ ମଞ୍ଚା ସାହାଯ୍ୟରେ ଏହି ଚାଷ କରିଛନ୍ତି।
The post କଲରା ଚାଷର ପେଣ୍ଠସ୍ଥଳୀ ପାଲଟିଛି ଧୁରୁଡ଼ିଆମ୍ବ first appeared on Sambad.from ଜିଲ୍ଲା | Sambad https://ift.tt/3tfTp84
0 Comments