ପାଇକମାଳ : ପାଇକମାଳ ବ୍ଲକ୍‌ରେ ଦୀର୍ଘ ଦିନ ହେଲା ବନ୍ୟଜନ୍ତୁ ଆତଙ୍କ ଲାଗି ରହିଛି। ରବିବାର ରାତି ପ୍ରାୟ ୩ଟାରେ ଛେତଗାଁ ଗ୍ରାମର କୁଡୋଗୁଡ଼ାରେ ରହୁଥିବା ଗନ୍ଧର୍ବ ଛତରଙ୍କ ଘର କାନ୍ଥକୁ  ଏକ ହାତୀ ଭାଂଗି ଦେଇଛି। ସେହି କୋଠରୀରେ ତାଙ୍କ ସାନ ପୁଅ ସାମନ୍ତ ଛତର ଓ ବୋହୂ ରୁହନ୍ତି। କିନ୍ତୁ ଉକ୍ତ ଦିନ ସେମାନେ ଅନ୍ୟତ୍ର କୁଣିଆ ଯାଇଥିବାରୁ ତାଙ୍କ ମା’  କୁନ୍ତୀ ଛତର ସେହି କୋଠରୀରେ ଶୋଇଥିଲେ । ଦୁଆର ମୁହଁକୁ ହାତୀଟି ଆସିଥିବା କାରଣରୁ ସେ ଚମକି ପଡ଼ି ଚିତ୍କାର କରିଥିଲେ। ତେବେ ହାତୀଟି ଉଗ୍ର ହୋଇ କାନ୍ଥକୁ ଭାଙ୍ଗି ପକାଇଲା।

କୁନ୍ତୀ ଜୀବନ ବିକଳରେ ଘରର ଟିଣ କବାଟ ଥିବା କୋଣରେ ଚୁପ୍‌ଚାପ୍‌ ଲୁଚି ଯାଇଥିଲେ। ହାତୀ ଠାରୁ ମାତ୍ର ଦୁଇ ତିନି ଫୁଟ୍‌ ବ୍ୟବଧାନରେ ସେ ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚି ଗଲେ। ଘରମାଲିକଙ୍କୁ ଉଚିତ୍ କ୍ଷତିପୂରଣ ଓ ସରକାରୀ ପକ୍କା ଘର ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ହାତୀ ମୁଣ୍ଢେଲା ଗ୍ରାମର ସଂଯୁକ୍ତା ବାରିକ, ଲକ୍ଷ୍ମୀ ନାରୟଣ ବାରିକ, ଚୁଡାମଣି ବାରିକ ଆଦି ଚାଷୀଙ୍କ ଧାନଫସଲ ଓ କଦଳୀ ଗଛ  ନଷ୍ଟ କରି ଦେଇଛି।

The post ହାତୀ ଆତଙ୍କ: ମରଣ ମୁହଁରୁ ବଞ୍ଚିଲେ ମହିଳା first appeared on Sambad.

from ଜିଲ୍ଲା | Sambad https://ift.tt/3nSE4JM