ଜଗତସିଂହପୁର: ଜିଲ୍ଲାରେ ଅଙ୍ଗନବାଡ଼ିଗୁଡ଼ିକର ଅବସ୍ଥା ସାଂଘାତିକ। ଜିଲ୍ଲାରେ ଏକ ହଜାରରୁ ଊର୍ଦ୍ଧ୍ବ କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଏହାସହ ଯେଉଁ ‌କେନ୍ଦ୍ରରେ ନିଜସ୍ବ ଗୃହ ରହିଛି ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନାହିଁ। ଜଗତସିଂହପୁର ସିଦ୍ଧଳ ଗାଁରେ ଥିବା ଏକ କେନ୍ଦ୍ରକୁ ଅଙ୍ଗନବାଡ଼ି କର୍ମୀ ଜଣକ ନିଜସ୍ବ ଘର ଭଳି ବ୍ୟବହାର କରୁଛନ୍ତି। ସେ ଏଠାରେ ନିଜ ପରିବାର ସହ ଦୀର୍ଘ ଦୁଇ ବର୍ଷ ହେଲା ରହିଆସୁଥିବା ବେଳେ ଏ ନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଏହି ଗାଁର ତାରାକାନ୍ତ ବାରିକ ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ସିଦ୍ଧଳ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର (କ)ରେ ୧୦ରୁ ଅଧିକ ପିଲା ପାଠ ପଢ଼ିବା ପାଇଁ ଆସୁଛନ୍ତି। ଗାଁର ଝିଅ ଓ ରଘୁନାଥପୁରର ବୋହୂ ପ୍ରତିଭା ମଞ୍ଜରୀ ବାରିକ ଏଠାରେ ଅଙ୍ଗନବାଡ଼ି କର୍ମୀ ଅଛନ୍ତି। ତେଣୁ ତାଙ୍କୁ କେହି ବିରୋଧ କରୁ ନାହାନ୍ତି। ମାତ୍ର ଧୀରେଧୀରେ ପ୍ରତିଭା ସେହି କେନ୍ଦ୍ରଟିକୁ ନିଜ ଘର ଭଳି ବ୍ୟବହାର କରୁଛନ୍ତି। ଘର ଭିତ‌ରେ ପ୍ରତିଭାଙ୍କ ପରିବାର ରହୁଛନ୍ତି। ବାହାରେ ତାଙ୍କର ପୋଷାକପତ୍ର ଶୁଖାଯାଉଛି। ପିଲାମାନେ ପାଠପଢ଼ି ବାରଣ୍ଡାରୁ ଚାଲିଯିବା ପରେ କେନ୍ଦ୍ରକୁ ସେ ସମ୍ପୂର୍ଣ୍ଣ ନିଜସ୍ବ ଗୃହ ଭାବେ ବ୍ୟବହାର କରୁଛନ୍ତି। ଏପରି ଦୃଶ୍ୟ ଅନ୍ୟତ୍ର ବିରଳ। ଏସଂକ୍ରାନ୍ତରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପ୍ରଶାସନର ଦୃଷ୍ଟିଆକର୍ଷଣ କରିଛନ୍ତି।

Sambad

ଜିଲ୍ଲାରେ୧୮୪୭ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୮୦୩ଟି ନୂତନ ଗୃହ ନିର୍ମାଣ କରାଯାଇ ପାଠ ପଢ଼ାଯାଉଥିବା ବେଳେ ବାକି ୧୦୪୪ କେନ୍ଦ୍ର ଭଡ଼ା ଘରେ କିମ୍ବା ଅନ୍ୟ କେଉଁଠି ଚାଲୁ ରହିଛି। ଏ ନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ବର୍ଣ୍ଣଲତା ନାୟକ କୁହନ୍ତି ସରକାରୀ ଗୃହ ଗୁଡ଼ିକରେ ଚାଲୁଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଏହାର ପରିଚାଳିକା ରହିବା ପାଇଁ କାହାକୁ ବି ଅନୁମତି ଦିଆଯାଇ ନାହିଁ। ଏହି ଅଭିଯୋଗ ସଂକ୍ରାନ୍ତରେ ଗୁରୁତ୍ବର ସହ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।

The post ଜଗତସିଂହପୁର ଜିଲ୍ଲାରେ ୧୦୪୪ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ; ଘରେ ରହୁଛନ୍ତି ଦିଦିଙ୍କ ପରିବାର, ବାରଣ୍ଡାରେ ପିଲାଙ୍କ ପାଠପଢ଼ା first appeared on Sambad.

from ଜିଲ୍ଲା | Sambad https://ift.tt/3DB3ZuZ