ବଲାଙ୍ଗୀର: ସ୍ଥାନୀୟ ରେଲୱେ ଷ୍ଟେସନ ରାସ୍ତାରେ ଥିବା ୱେରହାଉସ ନିକଟସ୍ଥ ବ୍ରିଜ ତଳୁ ଆଜି ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗୁରୁତର ଥିବା ଶିଶୁପୁତ୍ରକୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ ଆଜି ସକାଳୁ ତେଲିଗୋଠପଡ଼ାର କୁନି ଜେନା ନାମକ ଜଣେ ମହିଳା ବ୍ରିଜ ନିକଟକୁ ଯାଇଥିଲେ। ଏହି ସମୟରେ ସେ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ଏହା ପରେ ସେ ସେଠାରେ ଏକ ବ୍ୟାଗ ଭିତରେ ଏକ ନବଜାତ ଶିଶୁପୁତ୍ରକୁ ଭର୍ତ୍ତି କରାଯାଇ ଫିଙ୍ଗିଦିଆଯାଇଥିବା ଦେଖିବାକୁ ପାଇଥିଲେ। ସେ ସଂଗେ ସଂଗେ ଶିଶୁପୁତ୍ରକୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସପିଟାଲକୁ ନେଇଥିଲେ। ଏବେ ହସପିଟାଲର ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇ ଶିଶୁଟିର ଚିକିତ୍ସା କରାଯାଉଛି। ରିପୋର୍ଟ ଲେଖାଯିବା ବେଳକୁ ଶିଶୁପୁତ୍ରଟି ସୁସ୍ଥ ଥିବା ଜଣାପଡିଛି ।

ବଲାଙ୍ଗୀର ଟାଉନ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଶିଶୁଟି ସୁସ୍ଥ ହେବା ପରେ ତାକୁ ଚାଇଲଡ ଲାଇନ୍‌ ମାଧ୍ୟମରେ ଶିଶୁ କଲ୍ୟାଣ ସମିତିରେ ପ୍ରଡ୍ୟୁସ କରାଯିବ। ତାପରେ ନିୟମ ଅନୁଯାୟୀ ଶିଶୁଟିକୁ ଚାଇଲ୍‌ଡ କେୟାର ସେଣ୍ଟରରେ ରଖାଯିବ। ତେବେ କିଏ ଓ କଣ ପାଇଁ ଶିଶୁପୁତ୍ରଟିକୁ ବ୍ୟାଗରେ ଭର୍ତ୍ତିକରି ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗି ଦେଇଥିଲା ସେ ବାବଦରେ କିଛି ଜଣାପଡିନାହିଁ।

The post ପରିତ୍ୟକ୍ତ ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର, ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି first appeared on Sambad.

from ଜିଲ୍ଲା | Sambad https://ift.tt/3DyoNTQ