ହରଭଙ୍ଗା : ପୁରୁଣାକଟକ ଭୈରବୀ ମନ୍ଦିର ଛକ ନିକଟରେ ଶନିବାର ସକାଳେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି।

ସୂଚନାମତେ ଭୈରବୀ ମନ୍ଦିର ଛକ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଶନିବାର ଭୋର ସମୟରେ ଭୁବନେଶ୍ୱରରୁ ଲୋଇସିଂହା ଯାଉଥିବା ‘ଅମ୍ବିକା’ ନାମକ ଘରୋଇ ବସ୍‌ ଅଟକି ରହିଥିଲା। ଏହି ସମୟରେ ସମାନ ଦିଗରୁ ଯାଉଥିବା ଏକ ମିନିଟ୍ରକ୍‌ ସହିତ ବୌଦ୍ଧ ଚାରିଛକ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକ୍‌ଟି ମିନିଟ୍ରକକୁ କିଛି ଦୂର ଯାଏ ଘୋଷାଡ଼ି ନେଇଥିଲା। ଏଥିରେ ମିନିଟ୍ରକ୍‌ର ପଛଭାଗ ଯାଇ ବସର ଅଗପଟେ ପିଟି ହୋଇଥିଲା। ଫଳରେ ବସର ଡ୍ରାଇଭରଙ୍କ ସହିତ ମିନିଟ୍ରକର ଡ୍ରାଇଭର ଓ ହେଲ୍‌ପରଙ୍କୁ ମିଶାଇ ୪ ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ରେଫର୍‌ କରିଥିଲେ।

ବୌଦ୍ଧରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଅମ୍ବିକା ବସ୍‌ର ଡ୍ରାଇଭର ସୋନୁ ଜୁଆଡ଼ିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟ ଆହତମାନେ ହେଲେ ଜଗବନ୍ଧୁ ବିଶ୍ୱାଳ(୫୦), ନୀଳମଣି ବେହେରା(୨୮), ଦୀନବନ୍ଧୁ ତାଣ୍ଡିଆ ବୋଲି ଜଣାପଡିଛି। ଅନ୍ୟପଟେ ବସରେ ଥିବା ୪୫ ଯାତ୍ରୀ ଅଳ୍ପକେ ବଡ଼ ଧରଣର ଅଘଟଣରୁ ବର୍ତି ଯାଇଥିବା ଜଣାଯାଇଛି। ଖବରପାଇ ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସମସ୍ତ ଗାଡ଼ିକୁ ଜବତ କରିଛି।

The post ସିରିଜ୍‌ ଦୁର୍ଘଟଣା: ବସ୍‌ ଚାଳକ ମୃତ, ୩ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3iaelsu