
ବଲାଙ୍ଗୀର/କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାରେ ମରୁଡ଼ି ପରିସ୍ଥିତି। ଏଭଳି ସମୟରେ ସାମ୍ନାକୁ ଆସିଛି ଚାଷୀ ଆତ୍ମହତ୍ୟା ମାମଲା। ଫସଲ ନଷ୍ଟ ଯୋଗୁଁ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତୁରେକେଲା ବ୍ଲକ୍ କାଦୋବେଡ଼ା ଗାଁରୁ ଏଭଳି ଏକ ଅଭିଯୋଗ ଆସିଛି। ମୃତ ଚାଷୀଙ୍କ ନାମ ରେଚକା ବନଛୋର(୬୦ବର୍ଷ)।
ଗୁରୁବାର ରେଚକା ତାଙ୍କ ଚାଷ ଜମିରୁ ଫେରିବା ପରେ ନିଜ ଘରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଅଣାଯାଇଥିଲା। ବଲାଙ୍ଗୀରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏପଟେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଉଠିବା ପରେ ପ୍ରାଶାସନିକ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ତହସିଲଦାର ଅଶୋକ ମାଝୀ, ପୁଲିସ ଏସ୍ଡିପିଓ ହୃଷୀକେଶ ମେହେର, ତୁରେକେଲା ସହକାରୀ କୃଷି ଅଧିକାରୀ ଶୁକ୍ରବାର କାଦୋବେଡ଼ା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ମୃତ ରେଚେକାଙ୍କ କପା କ୍ଷେତ ପରିଦର୍ଶନ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଥିଲେ। ଉପଯୁକ୍ତ କ୍ଷତିପୂରଣ ବ୍ୟବସ୍ଥା କରାଯିବ ବୋଲି ପରିବାର ଲୋକଙ୍କୁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।
The post ବଲାଙ୍ଗୀରରେ ଚାଷୀ ଆତ୍ମହତ୍ୟା! ବିଲରୁ ଫେରି ବିଷ ପିଇଦେଲେ first appeared on Sambad.from ଜିଲ୍ଲା | Sambad https://ift.tt/3tcEoDI
0 Comments