
ବାଲେଶ୍ବର : ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଥିବା ସତ୍ୟମ ଡେଭେଲପର୍ସର ମାଲିକ ତଥା ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ନୁନୁ ଓରଫ୍ ରମେଶ ବେହେରାଙ୍କୁ ବୀଭତ୍ସ ଭାବେ ହତ୍ୟା ଘଟଣାରେ ମାଷ୍ଟରମାଇଣ୍ଡ ଟୁନା ଓରଫ୍ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସହ ୬ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଠାରୁ ୭ଟି ମୋବାଇଲ୍, ନଗଦ ୪୨ ହଜାର ଟଙ୍କା, ଗୋଟିଏ ତେଲେଙ୍ଗା କଟୁରି, ଗୋଟିଏ ଖଣ୍ଡା ଜବତ ହୋଇଥିବା ବେଳେ ସେମାନେ ବ୍ୟବହାର କରିଥିବା ଗୋଟିଏ ୨୨୦ ପଲ୍ସର ବାଇକ୍ (ଓଡି-୦୧-ଏ-୦୧୧୪), ଗୋଟିଏ ହିରୋ ସ୍ପ୍ଲେଣ୍ଡର ବାଇକ୍, ଗୋଟିଏ ଅଟୋରିକ୍ସା(ଓଡି-୦୧-କେ-୬୮୫୭), ଗୋଟିଏ ବୋଲେରୋ (ଓଡି-୦୧-କ୍ୟୁ-୮୨୮୩) ଏବଂ ଗୋଟିଏ କ୍ରେଟା (ଓଡି-୦୧-ଟି-୬୦୦୭) ଗାଡ଼ିକୁ ମଧ୍ୟ ଜବତ ହୋଇଥିବା ଏସ୍ପି ଜଣାଇଛନ୍ତି।
ଜମି କିଣାବିକା ତଥା ବ୍ୟାବସାୟିକ ଶତ୍ରୁତାକୁ ନେଇ ରମେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ୫୦ ଲକ୍ଷ ଟଙ୍କାରେ ଡିଲ୍ ହୋଇ ମାସେ ପୂର୍ବରୁ ଷଡ଼୍ଯନ୍ତ୍ର ରଚାଯାଇଥିଲା। ଏନେଇ ବାଲେଶ୍ବର ଏସ୍ପି ସୁଧାଂଶୁ ଶେଖର ମିଶ୍ର ଆଜି ଶିଳ୍ପାଞ୍ଚଳ ଥାନାରେ ସାମ୍ବାଦିକ ସମ୍ମିଳନୀ ଡକାଇ ସବିଶେଷ ସୂଚନା ଦେଇଥିବାବେଳେ ଘଟଣାର ସପ୍ତାହେ ଭିତରେ ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦାଫାସ୍ କରିବାରେ ପୁଲିସ ସଫଳ ହୋଇଥିବା କହିଥିଲେ। ଏବେବି ଏହି ଘଟଣାର ତଦନ୍ତ ଚାଲିଛି ଏବଂ ଖୁବ୍ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୮ ତାରିଖ ସନ୍ଧ୍ୟାରେ ରମେଶଙ୍କୁ ବୀଭତ୍ସଭାବେ ହତ୍ୟା କରାଯାଇଥିଲା।
The post ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍: ଜମି ଦଲାଲ ସହ ୭ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3n2fu8Y
0 Comments