
କପ୍ତିପଦା/ଶାଳଚୁଆ : ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାକୁ ୫୦ ଦିନ ପୂରିଛି। ତାଙ୍କ ମୃତ୍ୟୁ ବାବଦରେ ଏସିଏଫ୍ଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଗୁରୁବାର ୭ ଘଣ୍ଟାରୁ ଅଧିକ ସମୟ ଜେରା କରିଛି କ୍ରାଇମ୍ବ୍ରାଞ୍ଚ। ଜେରା ବେଳେ ବିଦ୍ୟାଭାରତୀଙ୍କୁ ୭୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା। ସେ କିଛି ପ୍ରଶ୍ନର ରୋକ୍ଠୋକ୍ ଉତ୍ତର ରଖିଥିବା ବେଳେ ଅନେକ ପ୍ରଶ୍ନରେ ଝୁଣ୍ଟିଥିଲେ। ମଧ୍ୟାହ୍ନରୁ ଆରମ୍ଭ ହୋଇ ଜେରା ରାତି ପର୍ଯ୍ୟନ୍ତ ଚାଲିଥିଲା। ତେବେ ୭ ଘଣ୍ଟାର ଜେରାପରେ ବି ସନ୍ତୁଷ୍ଟ ହୋଇପାରି ନାହାନ୍ତି କ୍ରାଇମବ୍ରାଞ୍ଚ ଟିମ୍। ଏଥିପାଇଁ ପୁଣିଥରେ ବିଦ୍ୟାଭାରତୀଙ୍କୁ ଜେରା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି।
ବିଦ୍ୟାଭାରତୀଙ୍କୁ ଜେରାପାଇଁ ଡିଏସ୍ପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଡିଏସ୍ପି ଇମାନ କଲ୍ୟାଣୀ ଓ ଆଉ ୩ଜଣ ଅଧିକାରୀ ବିଦ୍ୟାଭାରତୀଙ୍କ ଘରେ ପହଞ୍ଚିଥିଲେ। ଦିନ ୨ଟାରୁ ଆରମ୍ଭ ହୋଇଥିଲା ରୁଦ୍ଧଦ୍ବାର ଜେରା। କଲେଜ ଜୀବନ, ସୌମ୍ୟରଞ୍ଜନଙ୍କ ସହ ବିବାହ, ବୈବାହିକ ଜୀବନରେ ଝଡ଼, ଶାଶୂଘର ଲୋକଙ୍କ ସହ ସମ୍ପର୍କ, ହାତଲେଖା ଚିଠି, ବଲାଙ୍ଗୀରର ବ୍ୟାଚଲର ପାର୍ଟି, ସୌମ୍ୟରଞ୍ଜନଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ନେଇ ସେ ଲଗାଇଥିବା ଆରୋପ, ତାଙ୍କ ଦେହରେ ନିଆଁ ଲାଗିବା ରାତିର ଘଟଣା, ଆଇଆଇସି ମମତା ପଣ୍ଡାଙ୍କ ଭୂମିକା ଓ ଡିଏଫ୍ଓଙ୍କ ସହ ସମ୍ପର୍କ; ଏ ସମ୍ପର୍କିତ ପ୍ରଶ୍ନଗୁଡ଼ିକୁ ଥୋଇ ବିଦ୍ୟାଭାରତୀଙ୍କୁ ଘେରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ।
ଏ ସମ୍ପର୍କରେ ଡିଏସ୍ପି ଇମାନ କଲ୍ୟାଣୀଙ୍କ କହିଛନ୍ତି, ଜେରା ବେଳେ ଅନେକ ସମୟରେ ନର୍ଭସ ହୋଇପଡ଼ିଥିଲେ ବିଦ୍ୟାଭାରତୀ। ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ବାବଦରେ ଆରମ୍ଭରୁ ଯେଉଁକଥା କହୁଥିଲେ, ଆଜି ବି ସେହି ସମାନ କଥା ଦୋହରାଇଥିଲେ। ବିଦ୍ୟାଭାରତୀଙ୍କ ବାପାଙ୍କୁ ବି କିଛି ସମୟ ଜେରା କରାଯାଇଥିଲା। ବିଦ୍ୟାଭାରତୀଙ୍କୁ ପୁଣିଥରେ ଜେରା କରାଯାଇପାରେ ବୋଲି କହିଛନ୍ତି।
The post ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ୭ ଘଣ୍ଟା ଜେରା first appeared on Sambad.from ଜିଲ୍ଲା | Sambad https://ift.tt/3mZtxvJ
0 Comments