
ପୁରୀ : ରୁପା ଛାଉଣି ପାଇଁ ପ୍ରସ୍ତାବିତ ଶ୍ରୀମନ୍ଦିରର ୮ଟି ଦ୍ବାରରୁ ୭ଟି ଦ୍ବାର କାମ ଏହାଭିତରେ ଶେଷ ହୋଇଛି। ପୂର୍ବରୁ ଆଦିନୃସିଂହ ମନ୍ଦିର ଓ ମା’ ବିମଳାଙ୍କ ମନ୍ଦିର ଦ୍ବାର କାମ ଶେଷପରେ ଗତକାଲି ବିଳମ୍ବିତ ରାତିରେ ମା’ ଲକ୍ଷ୍ମୀଙ୍କ ମନ୍ଦିରର ପ୍ରମୁଖ ଦ୍ବାରକୁ ଶେଷ ସ୍ପର୍ଶ ଦିଆଯାଇଛି। ନବନିର୍ମିତ ଦ୍ବାର ଲାଗିବା ପରେ ଏଥିରେ ରୁପା ଚାଦର ସହ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ବର୍ଗାକାର ରୁପା ପ୍ଲେଟ୍ ସଂଯୋଗ କରାଯାଇଛି। ଯାହା ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରିଛି। ଶ୍ରୀମନ୍ଦିରର ୭ ପ୍ରମୁଖ ଦ୍ବାରରେ ଏଭଳି ରୁପା ଛାଉଣି ବିରଳ ହୋଇଥିବା ବେଳେ ଏହାକୁ ଦେଖିବାକୁ ଭକ୍ତଙ୍କ ଭିତରେ ବେଶ୍ ଆଗ୍ରହ ପ୍ରକାଶ ପାଇଛି।
ଶ୍ରୀମନ୍ଦିରର ବେହେରଣ ଦ୍ବାର, ଜୟ-ବିଜୟ ଦ୍ବାର, ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର, ସାତପାହାଚ ଦ୍ବାର, ଆଦି ନୃସିଂହ ମନ୍ଦିର, ମା’ ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ଦ୍ବାରର ନୂଆ ବର୍ମା ଟିକ୍ରେ ନିର୍ମାଣ ସରିଥିବା ବେଳେ ପର୍ଯ୍ୟାୟ କ୍ରମେ ଏଥିରେ ରୁପା ଚାଦର ଆଚ୍ଛାଦିତ କରାଯାଉଥିଲା। ରଥଯାତ୍ରା ପୂର୍ବରୁ ନୂଆ ବର୍ମା ଟିକ୍ରେ ନିର୍ମିତ ଜୟ-ବିଜୟ ଓ ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର ଲାଗିବା ପରେ ଏହା ଉପରେ ରୁପା ଚାଦର ଲଗାଯାଇଥିଲା। ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ପୂର୍ବରୁ ନବନିର୍ମିତ ସାତପାହାଚ ଦ୍ବାର ଓ ବେହେରଣ ଦ୍ବାର ଲାଗିବା ପରେ ଏହା ଉପରେ ରୁପାର ଚାଦର ଓ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ପ୍ଲେଟ୍ ଲାଗିଥିଲା। ଏ ଭିତରେ ଆଦିନୃସିଂହ, ମା’ ଲକ୍ଷ୍ମୀ ଓ ମା’ ବିମଳାଙ୍କ ମନ୍ଦିର ଦ୍ବାର କାମ ଶେଷ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ମନ୍ଦିରର ଚାରିଦ୍ବାର ଯେହେତୁ ଆକାରରେ ବଡ଼ ଥିଲା, ସେଥିପାଇଁ କାରିଗରମାନଙ୍କୁ ଏହି ଦ୍ବାର ତିଆରି ଓ ଲଗାଇବାରେ ବିଳମ୍ବ ହୋଇଥିଲା। କିନ୍ତୁ ଆଦିନୃସିଂହ ମନ୍ଦିର, ମା’ ଲକ୍ଷ୍ମୀ ମନ୍ଦିର ଓ ମା’ ବିମଳାଙ୍କ ମନ୍ଦିର ଦ୍ବାର ଛୋଟ ଥିବାରୁ ବହୁଶୀଘ୍ର ଏହି କାମକୁ ଶେଷ କରିଛନ୍ତି ମୁମ୍ବାଇରୁ ଆସିଥିବା କାରିଗରମାନେ। କେବଳ କଳାହାଟ ଦ୍ବାର ଓ ଏଥିରେ ରୁପା ଛାଉଣି କାମ ବାକି ରହିଛି। ଯେହେତୁ ଦୈନନ୍ଦିନ ନୀତିକାନ୍ତି ଚାଲିଛି, ବର୍ତ୍ତମାନ ପରିସ୍ଥିତିରେ ଏହି ଦ୍ବାରର କାମ ସମ୍ଭବ ନଥିବାରୁ ଆସନ୍ତା ରଥଯାତ୍ରା ସମୟରେ ଏହି ଦ୍ବାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ମା ଟିକ୍ରେ କଳାହାଟ ଦ୍ବାର ନିର୍ମାଣ ସହ ପଲିସ୍ କାମ ସରିଥିବାବେଳେ ଏଥିପାଇଁ ଆବଶ୍ୟକ ରୁପା ଚାଦର ବି ଆସି ସାରିଛି। କେବଳ ଏହା ସଂଯୋଗ ହେବା ବାକି ରହିଛି। ଏହି ରୁପାକୁ ନୀଳାଦ୍ରି ଭକ୍ତ ନିବାସ ପରିସର ଷ୍ଟ୍ରଙ୍ଗ୍ ରୁମ୍ରେ ସୁରକ୍ଷିତ ରଖାଯାଇଛି।
The post ରୁପା ଛାଉଣି ହେଲା ଶ୍ରୀମନ୍ଦିର ୭ ଦ୍ୱାର first appeared on Sambad.from ଜିଲ୍ଲା | Sambad https://ift.tt/3kVj2Hw
0 Comments