ବୁର୍ଲା/ସମ୍ବଲପୁର : ଛାତ୍ରଙ୍କୁ ଆକ୍ରମଣ ମାମଲାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌) କତ୍ତୃର୍ପକ୍ଷ କଠୋର ମନୋଭାବ ପୋଷଣ କରୁଛନ୍ତି। ଘଟଣାରେ ସଂପୃକ୍ତ ୧୨ ଜଣ ଛାତ୍ରଙ୍କ ବିରୋଧରେ ଦଣ୍ଡବିଧାନ ସ୍ବରୂପ ଭିସୁଟ୍‌ରୁ ବହିଷ୍କାର(ରଷ୍ଟିକେଟ୍‌) କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ୨ ବର୍ଷ ନିମନ୍ତେ ଏବଂ ଅନ୍ୟ ୧୦ ଜଣଙ୍କୁ ଏକ ବର୍ଷ ପାଇଁ ରଷ୍ଟିକେଟ୍ କରାଯାଇଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ୨୨ ତାରଖ ଦିନ ପୁଲହ ହଷ୍ଟେଲରେ ରହୁଥିବା ଭିସୁଟ୍‌ ଇଲେକ୍ଟ୍ରିକାଲ ବିଭାଗର ଜଣେ ଛାତ୍ରଙ୍କୁ ତାଙ୍କ ଜଣେ ସହପାଠୀମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହି ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଜଣେ ଛାତ୍ରୀଙ୍କୁ କେନ୍ଦ୍ର କରି ଏହି ଆକ୍ରମଣ ଘଟଣା ଘଟିଥିବା ଜଣାପଡ଼ିଛି। ଆହତ ଛାତ୍ରଙ୍କୁ ଗତ ବୁଧବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ, ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ରିପୋର୍ଟ ମିଳିବା ପରେ ଘଟଣାରେ ସଂପୃକ୍ତ ଛାତ୍ରମାନଙ୍କୁ ଭିସୁଟ୍ କ୍ୟାମ୍ପସ ଛାଡ଼ିବାକୁ କୁହାଯାଇଥିଲା। ତେବେ, ପୂ୍ର୍ଣ୍ଣାଂଗ ରିପୋର୍ଟ ଆସିବା ପରେ କମିଟି ଘଟଣାରେ ସଂପୃକ୍ତ ଛାତ୍ରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଥିଲା।

ଛାତ୍ର ଶୁଭଜିତ ଆଇଚ୍‌ ଏବଂ ସୌରଭ କୁମାର ନାଏକ ପ୍ରଥମେ ଗଣ୍ଡଗୋଳ ଆରମ୍ଭ କରିବା ସହିତ ସହପାଠୀଙ୍କୁ ଆକ୍ରମଣ କରିଥିବାରୁ ସେମାନଙ୍କୁ ୨ ବର୍ଷ ପାଇଁ ଭିସୁଟ୍‌ରୁ ବହିଷ୍କାର କରାଯାଇଛି। ସେମାନେ ପ୍ରଥମେ ଆକ୍ରମଣ କରିବା ପରେ ଅନ୍ତିମ ବର୍ଷର ଅନ୍ୟ ଛାତ୍ରମାନଙ୍କୁ ଡାକି ପୁଣି ସଂଘବଦ୍ଧ ଭାବେ ସଂପୃକ୍ତ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ତେଣୁ,ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅବିନାଶ ଦାସ, ଅମ୍ରିତ ମହାନ୍ତି, ଶୁଭମ ଶେଖର ଆଚାର୍ଯ୍ୟ, ନିହାର ରଂଜନ ସାହୁ, ଅବିନାଶ ମହାନ୍ତି, ହୃଷିକେଶ ସେଠୀ, ଅକାଶ ମହାନ୍ତି, ନିଶାନ୍ତ କୁମାର ରାୟ, ହ୍ରିତେଶ କୁମାର ଭୋଇ ଏବଂ ପ୍ରକାଶ ଘଡ଼େଇଙ୍କୁ ଏକ ବର୍ଷ ପାଇଁ ବହିଷ୍କାର କରାଯାଇଥିବା ଭିସୁଟ ସୂତ୍ରରୁ ପ୍ରକାଶ।

The post ଭିସୁଟ୍‌ରେ ଛାତ୍ରଙ୍କୁ ଆକ୍ରମଣ ମାମଲା: ୧୨ ଛାତ୍ରଙ୍କୁ ବହିଷ୍କାର first appeared on Sambad.

from ଜିଲ୍ଲା | Sambad https://ift.tt/3ojnLWx