ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରୁ ସେକ୍ସ ରାକେଟ ଠାବ କରିଛି ପୁଲିସ। ଏହି ରାକେଟର ଦୁଇଜଣ ଦେହଜୀବୀ ଓ ଦୁଇଜଣ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି। ଦେହଜୀବୀ ଦ୍ବୟ ଭୁବନେଶ୍ବର ଅଞ୍ଚଳର ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବହୁଦିନ ହେଲା କିଛି ଯୁବକ ବିଭିନ୍ନ ଅଞ୍ଚଳରୁ ଦେହଜୀବୀଙ୍କୁ ଆଣି ସେକ୍ସ ରାକେଟ ଚଳାଇଥିଲେ। ପୁଲିସକୁ ଚକମା ଦେଇ ଏମାନେ କାରବାର ଚଳାଇଥିଲେ। କିଛିଦିନ ହେଲା ଏମାନେ ପୁଲିସ ସ୍କାନର୍‌ରେ ରହିଥିଲେ। ବୁଧବାର ରାତିରେ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଦୁଇଟି ବାଇକ୍‌ରେ ଉପରୋକ୍ତ ଚାରିଜଣ ଦ୍ରୁତଗତିରେ ଯାଉଥିବା ଦେଖି ସେମାନଙ୍କ ପିଛା କରିଥିଲେ। ଏସ୍‌ଆଇ ବିଜୟ ବାରିକ ଓ ପୁଲିସ୍ ଟିମ୍ ଏମାନଙ୍କୁ ପିଛାକରି ବୀରମହାରାଜପୁର ସହରର ମୁଖ୍ୟ ଛକ ପାଖରେ ଧରିଥିଲେ। ଅଟକ ଯୁବକ ଦ୍ବୟ ସୁବଳୟା ଅଞ୍ଚଳର ସୁରେଶ ମେହେର (୨୮ବର୍ଷ) ଓ ଧର୍ମଶାଳା ଅଞ୍ଚଳର ଦୀପକ ମିଶ୍ର (୩୧ବର୍ଷ) ବୋଲି ପୁଲିସ କହିଛି। ଏନେଇ ଥାନା କେସ୍ ନଂ ୧୮୮/୨୧ରେ ଏକ ମାମଲା ରୁଜୁ କରି ଥାନା ଅଧିକାରିଣୀ ଅଞ୍ଜଳି କୁମ୍ଭାର ତଦନ୍ତ କରୁଛନ୍ତି।

ଅଭିଯୁକ୍ତମାନଙ୍କଠାରୁ ୨ଟି ବାଇକ୍, ବିଭିନ୍ନ କମ୍ପାନିର କଣ୍ଡମ୍, ୨ଟି ମୋବାଇଲ ଫୋନ୍‌, ନଗଦ ଟଙ୍କା ଜବତ କରାଯାଇଛି। ଦେହଜୀବୀ ଦ୍ବୟ ଭୁବନେଶ୍ୱରର ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଏମାନେ ଦଲାଲମାନଙ୍କ ଜରିଆରେ ପଶ୍ଚିମ ଓଡ଼ିଶାର ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟ ଚଳାଇ ଆସୁଛନ୍ତି। ଏଥିରେ ସମ୍ପୃକ୍ତ ଥିବା ଆଉଜଣେ ଯୁବକ ଫେରାର ହୋଇଯାଇଛି। ଅଟକ ଯୁବତୀ ଦ୍ବୟଙ୍କୁ ବୀରମହାରାଜପୁର ସ୍ବଧାର ଗୃହକୁ ପଠାଇ ଦିଆଯାଇଛି। ଶୁକ୍ରବାର ସମସ୍ତଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ଜଣାଯାଇଛି। ଏହି ଚଢ଼ଉରେ ପୁଲିସ କର୍ମଚାରୀ ଜୀବର୍ଦ୍ଧନ ପଧାନ, ବିଚିତ୍ରାନନ୍ଦ କଅଁର, ସଂଯୁକ୍ତା ମୁଖୀ ପ୍ରମୁଖ ସାମିଲ ଥିଲେ।

The post ବୀରମହାରାଜପୁରରେ ସେକ୍ସ ରାକେଟ ଠାବ, ଦୁଇ ଦେହଜୀବୀ ସହ ୨ ଯୁବକ ଅଟକ first appeared on Sambad.

from ଜିଲ୍ଲା | Sambad https://ift.tt/3AidfSP