ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଦାଲତ ପରିସରରେ ଚଳିତବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ପାଇଁ ଉଭୟ ଭିଡ଼ିଓ କନ୍‌ଫରେନ୍ସିଂ ଏବଂ ସିଧାସଳଖ ମାମଲା ଗୁଡ଼ିକର ଶୁଣାଣୀ ହୋଇଥିଲା। ଏଥିରେ ତାଲୁକା ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଡ଼ଃ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ମୋଟ୍‌ ୮୪ ଗୋଟି ମାମଲାର ବିଚାରଣ କରି ରାୟ ଶୁଣାଣି କରାଯାଇଥିଲା। ବିଚାର ହୋଇଥିବା ମାମଲା ଗୁଡ଼ିକରେ ହିତାଧିକାରୀ ମାନଙ୍କୁ ୧ କୋଟି ୨ ଲକ୍ଷ ୪୯ ହଜାର ୯୭୯ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ନେଇ ଶୁଣାଣି ହୋଇଥିଲା।

ମଟରଯାନ ଦୁର୍ଘଟଣା ଓ ଦୁର୍ଘଟଣାରେ ଜନିତ କ୍ଷତିପୂରଣ ମାମଲା ସଂକ୍ରାନ୍ତ ୨୬ ଟି ମାମଲାର ବିଚାର କରି ମୃତକଙ୍କ ପରିବାର ଲୋକଙ୍କୁ ୮୦ ଲକ୍ଷ ୧୪ ହଜାର ୫୦୦ ଟଙ୍କା କ୍ଷତିପୂରଣ ଦେବା ପାଇଁ ବିଭିନ୍ନ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବରିଷ୍ଠ ଦେୱାନୀ ଜଜ୍ ବେଦ ପ୍ରକାଶ ୬ ଟି ବ୍ୟାଙ୍କ ସମ୍ବନ୍ଧୀୟ ଏବଂ ବୈବାହିକ, ଦେୱାନୀର ଗୋଟିଏ ଲେଖାଏଁ ମାମଲାର ବିଚାର କରି ୧୩ ଲକ୍ଷ ୪୩ ହଜାର ୭୭୯ ଟଙ୍କା ଅସୁଲ ପାଇଁ ଶୁଣାଣୀ କରିଥିଲେ।

ଏଥିସହ ଏସ୍‌ଡ଼ିଜିଏମ୍ ମନସ୍ବିନୀ ରଥ ୨ ଟି ଫୌଜଦାରି ଆପୋଷ ସମାଧାନ ମାମଲା, ୬ ଟି ଏନ୍ଆଇ ଆକ୍ଟ ମାମଲା ଶୁଣାଣି କରି ୮ ଲକ୍ଷ ୯୧ ହଜାର ୭୦୦ ଟଙ୍କା ଏବଂ ୯ ଟି ପାରିବାରିକ ମାମଲା ଏବଂ ୨୮ଟି ଅନ୍ୟାନ୍ୟ ଫୌଜଦାରୀ ମାମଲାର ବିଚାରଣ କରି ରାୟ ଶୁଣାଇଥିଲେ। ଜେଏମ୍ଏଫ୍‌ସି ପ୍ରଜ୍ଞା ରାଉତ ୨ ଗୋଟି ପାରିବାରିକ ସମସ୍ୟା ଏବଂ ୩ ଟି ଫୌଜଦାରୀ ମାମଲାର ଶୁଣାଣୀ କରି ରାୟ ଶୁଣାଇଥିଲେ।

ତାଲୁକା ଆଇନ ସେବା କମିଟିର ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ସୋମନାଥ ନାୟକ, ଡଃ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ତିଆଡି, ଓକିଲ ସଂଘ ସଭାପତି ସନ୍ତୋଷ କୁମାର ନାୟକ, ଉପସଭାପତି ରଜତ କୁମାର ଦାସ, ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ସୁଧୀର ରଞ୍ଜନ ମହାପାତ୍ର, ଦେବୀ ତ୍ରିପାଠୀ, ସମୀର କୁମାର ନାୟକ, ବଂଶୀଧର ପ୍ରଧାନଙ୍କ ସମେତ କୋର୍ଟର ସୁନୀଲ ମୁଦୁଲି, ଅଞ୍ଜନ କୁମାର ଦାସ, ଅଙ୍କନ ପ୍ରଧାନ, ଭଗବାନ ପାତ୍ର, ରବି ପ୍ରଧାନ ପ୍ରମୁଖ ମାମଲା ପରିଚାଳନାରେ ସହଯୋଗ କରିଥିଲେ।

The post ଭଞ୍ଜନଗରରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୮୪ ମାମଲାର ଫଇସଲା, ୧ କୋଟି ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ  first appeared on Sambad.

from ଜିଲ୍ଲା | Sambad https://ift.tt/3EwzMh8