ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ରିଷିଗାଁରେ ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରି ୨ଜଣଙ୍କୁ ଅଟକ ରଖିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ରିଷିଗାଁର ଚିତମନ ଦଳ ଗତ ୮ମାସ ପୂର୍ବେ କୋମନା ବ୍ଲକ୍‌ ବହଲମୁଣ୍ଡା ଗ୍ରାମର ସୁମିତ୍ରା ଦଳ (୧୮) ଙ୍କୁ ପ୍ରେମ ବିବାହ କରିଥିଲେ। ଗତ ୧୩ ତାରିଖରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ୧୪ ତାରିଖରେ ସୁମିତ୍ରାକୁ ଘରେ ହତ୍ୟା କରି ଶବକୁ ସ୍ଥାନୀୟ ପାହାଡ଼ ତଳେ ଚିତମନ ପୋତି ଦେଇଥିଲା।

ସ୍ଥାନୀୟ ଲୋକମାନେ ଏନେଇ ମଙ୍ଗଳବାର ସନ୍ଧ୍ୟାରେ ପୁଲିସକୁ ଖବର ଦେଇଥିଲେ। ବୁଧବାର ସକାଳୁ ପୁଲିସ ହତ୍ୟାକାଣ୍ଡସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକର, ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନା, ଆଇଆଇସି କୈଳାସ ସେଠୀ, ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଭୂପେନ୍ଦ୍ର ସିଂହ, ଏସ୍‌ଆଇ ନବଘନ ଗୌଡ଼, ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ୱାର୍ଡ ଟିମ୍‌ ସହିତ ରିଷଗାଁରେ ପହଞ୍ଚି ତଦନ୍ତ କରିଛନ୍ତି। ପୋତାଯାଇଥିବା ଶବକୁ ବାହାର କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଚିତମନ ଦଳ ଓ ବାପା ଦ୍ରୋଣ ଦଳ ନାଁରେ କେସ୍‌ ନଂ ୩୩୫/୨୧ ମାମଲା ରୁଜୁ କରି ଅଟକ ରଖାଯାଇଛି। ଅଧିକ ତଦନ୍ତ ପରେ ସବିଶେଷ ସୂଚନା ଦିଆଯିବ ବୋଲି ପୁଲିସ କହିଛି।

The post ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିଲା ସ୍ୱାମୀ! ୨ଜଣଙ୍କୁ ଅଟକ ରଖିଲା ଖଡ଼ିଆଳ ପୁଲିସ first appeared on Sambad.

from ଜିଲ୍ଲା | Sambad https://ift.tt/3zfbSTl