ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାରେ ପ୍ରାୟ ୩୦ ବର୍ଷ ଆଗରୁ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଉନ୍ଦେର ନଦୀରେ ଏକ ଇଣ୍ଟେକୱେଲ୍‌ ତିଆରି ହୋଇଥିଲା। ସେହିଦିନରୁ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ସୁବିଧାରେ ପାନୀୟ ଜଳ ଟିକିଏ ପହଞ୍ଚାଇବା ପାଇଁ ସରକାରୀ ତହବିଲରୁ ବହୁ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଆଜିଯାଏ ଏହାର ସୁଫଳ ଲୋକେ ପାଇ ପାରି ନାହାନ୍ତି। ଅନ୍ୟ ସବୁକୁ ଛାଡ଼ିଦେଇ କେବଳ ୨୦୧୪ରେ ତିଆରି ହୋଇଥିବା ଓଭରହେଡ ଟାଙ୍କି ତଥା ପାଇପଲାଇନ କାମରେ ପାଖାପାଖି ୧କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତଥାପି କେବଳ ପଦରପଡ଼ା, ଟିଟିଲାଗଡ଼ ରୋଡ, ସାହୁପଡ଼ାର କିଛି ଲୋକ ପାଣି ପାଉଛନ୍ତି। ଏହା ବାଦ୍‌ରେ ନୂଆ ଇନ୍‌ଟେକ୍‌ୱେଲ୍‌ ତିଆରି କାମ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି। ବର୍ଷା ଆରମ୍ଭରୁ ମଟର ଖରାପ ଯୋଗୁଁ ଲୋକେ ବହୁ ହଇରାଣ ହରକତ ହେଉଛନ୍ତି।

ଗୋଟିଏ ୧୦ ଏଚ୍‌ପିର ମଟରରେ ପୂରା ସିନ୍ଧେକେଲା ସହରକୁ ପାଣି ଯୋଗାଇବା ଅସମ୍ଭବ। ସେଥିରେ କେତେ ଜାଗାରେ ଚାବି ଖରାପ ହୋଇଥିବା ଯୋଗୁଁ ପାଣି ଲିକେଜ ହୋଇ ପ୍ରେସର କମି ଯାଉଛି। ଏ ସଂପର୍କରେ ଜଣାଇବା ପ‌ାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗା‌ଯୋଗ ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ତାଙ୍କ ଫୋନ୍‌ ସୁଇଚ୍ଅଫ୍‌ ରହୁଛି ବୋଲି ଅଭିଯୋଗ କରିଛନ୍ତି ସିନ୍ଧେକେଲା ସରପଞ୍ଚ। ସମାଜସେବୀ ଅନିଲ ତ୍ରିପାଠୀ ଓ ସରପଞ୍ଚ ରାଜା ଥନାପତି ବିଭିନ୍ନ ସମୟରେ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବିଭାଗୀୟ ଜେଇଙ୍କୁ ମଟର ସଜାଡ଼ିବା ପାଇଁ ନିର୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।

ତେବେ ମଟର ଠିକ ହୋଇନଥିବା ଏବଂ ତହସିଲଦାର କୌଣସି କାମରେ ବୁଧବାର ସିନ୍ଧେକେଲା ଆସିଥିବା ବେଳେ ଶତାଧିକ ମହିଳା ଓ ପୁରୁଷ ତାଙ୍କୁ ଘେରି ଯାଇଥିଲେ। ତହସିଲଦାର ଫୋନ୍‌ ଯୋଗେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ମଟର ଆଜି ହିଁ ଠିକ୍‌ କରିବା ପାଇଁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତହସିଲଦାରଙ୍କ ହସ୍ତକ୍ଷେପ ପରେ ମଟର ବ୍ଲକ୍‌ ଅଫିସକୁ ନିଆଯାଇଥିବା ପମ୍ପ କର୍ମଚାରୀଙ୍କଠାରୁ ଜଣାପଡ଼ିଛି। ହେଲେ କେବେ ତାହା ଠିକ୍‌ ହୋଇ ଆସିବ ତାହା ଦେଖିବାକୁ ବାକି ରହିଲା।

The post ସିନ୍ଧେକେଲା ପାନୀୟ ଜଳ ପ୍ରକଳ୍ପ କାହା ପାଇଁ? ଖର୍ଚ୍ଚ କୋଟିଏ, କାମ ଶୂନ first appeared on Sambad.

from ଜିଲ୍ଲା | Sambad https://ift.tt/3tIy4El