ବରଗଡ଼ : ଜିଲ୍ଲାବ୍ୟାପୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳରେ ବ୍ୟାପକ କେଳେଙ୍କାରୀ ଘଟଣା ସାମନାକୁ ଆସିଛି। କରୋନା ଲକ୍‌ଡାଉନ୍‌ ଯୋଗୁଁ ପାଖାପାଖି ୨ବର୍ଷ ହେଲା ପ୍ରାଥମିକ ସ୍କୁଲ୍‌ ବନ୍ଦ ରହିଛି। ଏହି ଅବଧିରେ ଏହି ଦୁର୍ନୀତିର ମାତ୍ରା ଚରମ ସୀମାରେ ପହଂଚିଛି। କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ ରହିଛି। ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାଙ୍କୁ ଜଣ ପିଛ‌ା ଶହେ ଗ୍ରାମ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ଜଣପିଛା ୧୫୦ ଗ୍ରାମ ଚାଉଳ ବାଣ୍ଟିବାକୁ ସରକାର ନିୟମ କରିଛନ୍ତି। ଇତିମଧ୍ୟରେ ଗତ ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଚାଉଳ ବଣ୍ଟନ ପ୍ରକ୍ରିୟା ଚାଲିଛି। ଏହି ଅବଧି ମଧ୍ୟରେ ପ୍ରାଥମିକ ସ୍କୁଲ ପିଲାଙ୍କୁ ଜଣପିଛା ୧୧କିଲୋ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଜଣପିଛା ୧୬.୫୦୦ କିଲୋ ଚାଉଳ ମିଳିବା କଥା। ପିଲାସଂଖ୍ୟା ଅନୁସାରେ ଏହି ହିସାବରେ ସ୍କୁଲକୁ ଚାଉଳ ପହଂଚୁଛି। କିନ୍ତୁ ପ୍ରତି ବସ୍ତାରେ ୫/୬ କିଲୋ ଚାଉଳ କମ୍‌ ରହୁଛି। କେତେକ କ୍ଷେତ୍ରରେ ୧୦କିଲୋ ଯାଏଁ ବସ୍ତାରେ କମ୍‌ ଚାଉଳ ବାହାରୁଛି। କିନ୍ତୁ ସ୍କୁଲ କର୍ତୃପକ୍ଷ ଏନେଇ ମୁହଁ ଫିଟାଇ ପାରୁନାହାନ୍ତି। ଗାଏବ୍‌ ଥିବା ଚାଉଳକୁ କିଛି ସ୍ଥାନରେ ଶିକ୍ଷକମାନେ ନିଜ ପକେଟ୍‌ରୁ ଭରୁଛନ୍ତି।

ଅଧିକାଂଶ ସ୍କୁଲରେ ପିଲାଙ୍କୁ ଚାଉଳ ଓଜନ ନକରି ଅନୁମାନିକ ଭାବେ କିମ୍ବା ମାଣ ଜରିଆରେ ବାଣ୍ଟି ଦିଆଯାଉଛି। ବିଭିନ୍ନ ସ୍ଥାନରେ ନିଅଣ୍ଟ ଥିବା ଚାଉଳକୁ ସ୍କୁଲ ପରିଚାଳନା କମିଟି ବିଭିନ୍ନ ପାଣ୍ଠି ଜରିଆରେ ଭରଣା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଚାଉଳ ଯୋଗାଣରେ ଥିବା ଅଧିକାରୀ ଏବଂ ସଂସ୍ଥା ଏଭଳି କେଳେଙ୍କାରୀ କରି ଲକ୍ଷାଧିକ ଟଙ୍କା ହଡ଼ପ୍‌ କରୁଛନ୍ତି। ଚାକିରି ଭୟରେ ଶିକ୍ଷକମାନେ ଏନେଇ ମୁହଁ ଖୋଲୁ ନାହାନ୍ତି। କିନ୍ତୁ ସଚେତନ ମହଲ ପକ୍ଷରୁ ଏଭଳି ଅଭିଯୋଗ ତାଲିକା ଲମ୍ବି ଚାଲିଛି। ଏନେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

The post ମଧ୍ୟାହ୍ନ ଭୋଜନ ଚାଉଳ କେଳେଙ୍କାରୀ, ଓଜନରେ ବ୍ୟାପକ ହେରଫେର first appeared on Sambad.

from ଜିଲ୍ଲା | Sambad https://ift.tt/3zO9gfH