
ଘଣ୍ଟାପଡ଼ା : କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଫାଣ୍ଡି ଅଧୀନ କୁଲୁତାଜୋର୍ ପଞ୍ଚାୟତ ଦେଉଳୀ ଗ୍ରାମର ଲୋକନାଥ ରଣା (୩୦)ଙ୍କ ନିଖୋଜ ମାମଲାରେ ପୁଲିସ ତାଙ୍କ ସାନଭାଇ ଡୋଳାମଣି ରଣା (୨୫)ଙ୍କୁ ଅଟକ ରଖିଛି। ଡୋଳାମଣି ହତ୍ୟା କରିଥିବା ସ୍ବୀକାର କରିଛି। ତେବେ ମୃତଦେହ ମିଳିନଥିବାରୁ ପୁଲିସ ଛାନଭିନ୍ ଚଳାଇଥିବା ଜଣାଯାଇଛି।
ତ୍ରିଲୋଚନ ରଣାଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅ ଲୋକନାଥ ଗତ ୧୨ ତାରିଖରୁ ନିଖୋଜ ହୋଇଯାଇଛି। ଏ ବିଷୟରେ ସେ ୨୦ ତାରିଖରେ ଘଣ୍ଟାପଡ଼ା ଫାଣ୍ଡିରେ ଅଭିଯୋଗ କରିଥିଲେ। ବିଳମ୍ବରେ ଅଭିଯୋଗ ହୋଇଥିଲେ ବି ପୁଲିସ ଘଟଣାର ଅନୁସନ୍ଧାନ କରୁଥିବା ବେଳେ ଲୋକନାଥଙ୍କୁ ହତ୍ୟା କରାଯାଇଥିବା କୌଣସି ସୂତ୍ରରୁ ସୁରାକ ପାଇଥିଲା। ଫଳରେ ସାନଭାଇ ଡୋଳାମଣିଙ୍କୁ ଅଟକ ରଖି ପଚରାଉଚରା କରୁଛି।

ତଦନ୍ତ ବେଳେ ଜଣାପଡ଼ିଛି ଯେ, ତ୍ରିଲୋଚନଙ୍କ ପରିବାରର ସମସ୍ତ ସଦସ୍ୟ ଏକାଠି ରହୁଛନ୍ତି। କିନ୍ତୁ ସାନପୁଅ ଡୋଳାମଣି ଅନ୍ୟତ୍ର ରହିବା ସହ ସବୁବେଳେ ନିଶା ସେବନ କରି ଘରେ ଗାଳିଝଗଡ଼ା କରୁଥିଲେ। ନୂଆଁଖାଇ ପରଦିନ କୁଆଡ଼େ ଦୁଇଭାଇ ଲୋକନାଥ ଓ ଡୋଳାମଣି ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକନାଥଙ୍କୁ ହତ୍ୟା କରିଥିବା ଡୋଳମଣି ପୁଲିସକୁ କହିଛି। ହତ୍ୟା ପରେ ମୃତଦେହରେ ପଥର ବାନ୍ଧି ପରପଦର ନିକଟ ତେଲନଦୀରେ ପକାଇ ଦେଇଥିବା କହିଛି।
ଡୋଳାମଣିଙ୍କ ବୟାନ ଆଧାରରେ ବୁଧବାର ବୌଦ୍ଧ ଏସ୍ଡିପିଓଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍ ଏବଂ କଣ୍ଟାମାଳ ଓ ଘଣ୍ଟାପଡ଼ା ପୁଲିସ ନିର୍ଦ୍ଧାରିତ ସ୍ଥାନକୁ ଯାଇ ପାୱାରବୋଟ୍ ସାହାଯ୍ୟରେ ଅନୁସନ୍ଧାନ ଚଳାଇଥିଲେ ମଧ୍ୟ ମୃତଦେହ ମିଳି ନାହିଁ। କିନ୍ତୁ ବାପା ତ୍ରିଲୋଚନ ହତ୍ୟା କରାଯାଇଥିବା ବିଷୟକୁ ଅସ୍ବୀକାର କରିଛନ୍ତି। ତେବେ ଘଟଣାର ୮ ଦିନ ପରେ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିବାରୁ ହତ୍ୟା ସନ୍ଦେହ ଘନେଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ ମଲିକ ସୂଚନା ଦେଇଛନ୍ତି।
The post ଲୋକନାଥ ରଣା ନିଖୋଜ ମାମଲା: ହତ୍ୟା ସନ୍ଦେହ, ସାନଭାଇ ଥାନାରେ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/2ZJLd5d
0 Comments