ଭୋଗରାଇ/ଚନ୍ଦନେଶ୍ୱର (୧): ଓଡ଼ିଶା ସୀମାନ୍ତ ଉଦୟପୁରଠାରେ ପ୍ରାଚୀର ନିର୍ମାଣକୁ ନେଇ ପୁଣି ପଶ୍ଚିମବଙ୍ଗ ପ୍ରଶାସନ ସହ ତାଳସାରୀ ପୁଲିସ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା ସେଠାରେ ୧୪୪ ଧାରା ଜାରି କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିଠାରୁ ଦୀଘା ମେରାଇନଡ୍ରାଇଭ୍ ପର୍ଯ୍ୟନ୍ତ ପ୍ରାୟ ୫ଶହ ମିଟର ଜାଗାକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ବହୁଦିନ ଧରି ବିବାଦ ଲାଗିରହିଛି। ଗତ ୭ତାରିଖରେ ବଙ୍ଗ ପ୍ରଶାସନ ବିବାଦୀୟ ସ୍ଥାନରେ ପ୍ରାଚୀର ନିର୍ମାଣ କରୁଥିବା ଖବର ପାଇ ସ୍ଥାନୀୟ ପ୍ରଶାସନ ପହଞ୍ଚି ତାକୁ ବନ୍ଦ କରିଥିଲା। ତା’ ପରଦିନ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭବେଶ ଚନ୍ଦ୍ର ନାୟକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ପଶ୍ଚିମବଙ୍ଗ ପ୍ରଶାସନ ଆଉ ଯେଭଳି ନିର୍ମାଣ କାର୍ଯ୍ୟ ନ କରେ, ତା’ଉପରେ ତାଳସାରୀ ମେରାଇନ ଥାନା ପୁଲିସକୁ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଣି ଭୋଗରାଇ ବିଧାୟକ ଅନନ୍ତ ଦାସ, ବିଜେପି ନେତା ଅଂଶୁମାନ ମହାନ୍ତି, ଉତ୍କଳ ସମ୍ମିଳନୀ ଭୋଗରାଇ ଶାଖାର ସଦସ୍ୟମାନେ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ଦୀଘା ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ମଣ୍ଡଳ ଦୀଘା ପୁଲିସ ସହିତ ପହଞ୍ଚି ବିବାଦୀୟ ସ୍ଥଳରେ ବନ୍ଦ ରହିଥିବା ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ କରିଥିଲେ। ତେବେ ତାଳସାରୀ ମେରାଇନ ପୁଲିସ ସହିତ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ୨ ଘଣ୍ଟା ଧରି ଯୁକ୍ତିତର୍କ ଲାଗି ରହିଥିଲା। ଶେଷରେ ବଙ୍ଗ ପ୍ରଶାସନ ସେଠାରୁ ଫେରିଯିବାକୁ ବାଧ୍ୟ ହୋଇଥିଲା।

ଅନ୍ୟପକ୍ଷରେ ପୂର୍ବରୁ ଉଭୟ ରାଜ୍ୟର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ଉକ୍ତ ବିବାଦୀୟ ସ୍ଥାନର ଯେ ପର୍ଯ୍ୟନ୍ତ ସୀମା ନିର୍ଦ୍ଧାରଣ ନ ହୋଇଛି ସେଯାଏ ଉଭୟ ରାଜ୍ୟ ସରକାର କୌଣସି ନିର୍ମାଣ କାର୍ଯ୍ୟ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ବଙ୍ଗ ପ୍ରଶାସନ ସମସ୍ତ ସର୍ତ୍ତ ଓ ସନ୍ଧିକୁ ବେଖାତିର କରି ବାରମ୍ବାର ଦାଦାଗିରି ଦେଖାଇ ନିର୍ମାଣ କାର୍ଯ୍ୟ କରୁଥିବାରୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଶ୍ରୀ ପଣ୍ଡା ସେଠାରେ ୧୪୪ ଧାରା ଜାରି କରିଥିବା ସୂଚନା ଦେଇଛନ୍ତି।

The post ଉଦୟପୁରରେ ପୁଣି ପାଚେରି ନିର୍ମାଣ ଉଦ୍ୟମ: ବଙ୍ଗ ପ୍ରଶାସନ-ମେରାଇନ ପୁଲିସ ମୁହାଁମୁହିଁ first appeared on Sambad.

from ଜିଲ୍ଲା | Sambad https://ift.tt/3nzeHMQ