ଭଦ୍ରକ: ୩୦ ୱାର୍ଡ ବିଶିଷ୍ଟ ଭଦ୍ରକ ପୌରପାଳିକାର ବିଭିନ୍ନ ଅଞ୍ଚଳରେ ଏବେ ଖାଲି ପାଣି ଆଉ ପାଣି। ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ, ଡ୍ରେନ୍ ସବୁ ଏକକାର ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ। ସ୍ଥିତି ଏମିତି ଯେ, ଜୋତା ଓ ପ୍ୟାଣ୍ଟ ଟେକି କର୍ମଚାରୀ, ସାଧାରଣ ଜନତା କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରୁଛନ୍ତି। କହିବାକୁ ଗଲେ ଲଘୁଚାପଜନିତ ବର୍ଷା ଏକପ୍ରକାର ବେହାଲ କରିଦେଇଛି ସହରବାସୀଙ୍କ ସ୍ବାଭାବିକ ଜୀବନଯାତ୍ରାକୁ।

ସହରର ସବୁ ୱାର୍ଡରେ ଜଳ ନିଷ୍କାସନ ପଥ ଅବ‌ରୋଧ ହୋଇଛି। ଡ୍ରେନ୍‌ରେ ଏତେ ଆବର୍ଜନା ଯେ ସେଥିରେ ବର୍ଷାପାଣି ଯିବା ଦୁରୂହ ବ୍ୟାପାର। ନିର୍ମାଣଜନିତ ତ୍ରୁଟି ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍‌ନା ଡ୍ରେନ୍‌ରେ ବର୍ଷାଜଳ ନିଷ୍କାସିତ ହୋଇ ନପାରି ଜିଲ୍ଲା କାର୍ଯ୍ୟାଳୟକୁ ପଶୁଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ମାଣ ବେଳେ ଏହାକୁ ଉଚ୍ଚା କରାଯାଇ ନିର୍ମାଣ କରାଯିବାର ଥିଲା। ମାତ୍ର ସେତେବେଳେ ତାହା କରାଗଲାନାହିଁ। ଯେଉଁଥିପାଇଁ ବର୍ଷା ହେଲେ ଡ୍ରେନ୍ ପାଣି ସିଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ପଶୁଛି। କେବଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୁହେଁ, ସହରର ଅଧିକାଂଶ ଅଞ୍ଚଳରେ ଏହି ସମସ୍ୟା ମୁଣ୍ଡ ଟେକିଛି। ବନ୍ତଛକରୁ, ଅପର୍ତ୍ତିବିନ୍ଧା, ଆରଡି ଛକରୁ ତହସିଲ ରୋଡ୍‌; ସବୁଠି ପାଣି ସୁଅ ଚାଲିଛି। ଡ୍ରେନ୍ ନଥିବାରୁ ବର୍ଷାଜଳ କୁଆଡେ ଯାଇପାରୁନାହିଁ।

The post ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବୁଡ଼ିଗଲା, ଡ୍ରେନ୍ ପାଣିରେ ଭାସୁଛି ସହର first appeared on Sambad.

from ଜିଲ୍ଲା | Sambad https://ift.tt/3CcG9El